କାର୍ତ୍ତିକ ମାସ ଶେଷ ସୋମବାର, ବଟେଶ୍ଵର ଶୈବପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୨୩ା୧୧(ବିଦ୍ୟାଧର ସାହୁ ): ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରେ ପଚାଶ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ଭିଡ଼ ଜମି ଥିବା ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଲମ୍ବା ଲାଇନରେ ଠାକୁରଙ୍କୁ ଦର୍ଶନ କରିଥିଲେ । ମାନସିକଧାରୀ ଭକ୍ତମାନଙ୍କ ପାଇଁ ଭୋଗ ରୋଷେଇ ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିଲା । ଏଥିସହ ଜିଲା ଓ ଜିଲା ବାହାରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଗଞ୍ଜାମ ଅଞ୍ଚଳର ଯୁବ ସ୍ବେଚ୍ଛାସେବୀ ତଥା ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ପାଣି ବୋତଲ ବଣ୍ଟନ କରିଥିଲେ ।

ସକାଳ ଭୋର ସମୟରୁ ଦିନ ତମାମ ଶ୍ରଦ୍ଧାଳୁମାନଙ୍କ ମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଥିଲା । ଠାକୁର ଦର୍ଶନ ସହ ଭକ୍ତମାନେ ସ୍ଥାନୀୟ ରହିଥିବା ସମୁଦ୍ର କୁଳ ଓ ଶିଶୁ ପାର୍କରେ ବୁଲିବା ସହ ପ୍ରାକୃତିକ ପରିବେଶର ମଜା ନେଇଥିଲେ । ସେହିପରି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସୁସ୍ୱାଦୁ ପ୍ରସାଦ ସେବନର ବ୍ୟବସ୍ଥା ସହ ଲଡ଼ୁ ବ୍ୟବସ୍ଥା କରାଯାଇଥିଲା ।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରମ୍ଭା ଥାନା ଅଧିକାରୀ କୁମାର ମୁଦୁଲିଙ୍କ ନେତୃତ୍ୱରେ ପୋଲିସ ମୁତୟନ କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ୬ ଖଣ୍ଡ ଗ୍ରାମବାସୀ ଓ ଯୁବଗୋଷ୍ଠୀ ଭିଡ଼ ନିୟନ୍ତ୍ରଣ ସୁପରିଚାଳନାରେ ସହଯୋଗ କରିଥିଲେ ।

 

Dharitri – Odisha’s No.1 Odia Daily

Share