ସୀମା ଟପିଲେ ଭୟଙ୍କର ପରିଣାମ

ମସ୍କୋ/ଓ୍ବାଶିଂଟନ୍‌, ୨୭ା୯: ପ୍ରାୟ ୭ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ୟୁକ୍ରେନ୍‌ର ଖର୍କିଭ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରୁ ରୁଷିଆ ସୈନ୍ୟ ପଛଘୁଞ୍ଚା ଦେବା ପରେ ଏବେ କ୍ରେମଲିନ୍‌ ୟୁରୋପକୁ ଆଣବିକ ଆକ୍ରମଣ ଧମକ ଦେଉଛି। ଏହି ଧମକ ଅତିରଞ୍ଜିତ ନୁହେଁ ଏବଂ ରୁଷିଆର ସୁରକ୍ଷା ବିପଦରେ ପଡ଼ିଲେ ଅଣୁ ଅସ୍ତ୍ର ବ୍ୟବହାର କରାଯିବ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିସାରିଛନ୍ତି। ଏହାବାଦ୍‌ ପୂର୍ବ ୟୁକ୍ରେନ୍‌ର ଲୁହାନ୍‌ସ୍କ, ଡୋନେସ୍କ, ଖେରସନ୍‌, ଜାପୋରିଜିଝିଆକୁ ରୁଷିଆ ନିଜ ଭୂଖଣ୍ଡରେ ସାମିଲ କରାଇବା ପାଇଁ ସେଠାରେ ଗଣଭୋଟ ଆୟୋଜନ କରିଛି। ଯଦି ଏହି ଅଞ୍ଚଳଗୁଡ଼ିକୁ କେହି ଦଖଲ କରିବାକୁ ଚେଷ୍ଟା କରନ୍ତି ତେବେ ରୁଷିଆ ସେଠାରେ ନିଜର ପୁରା ଶକ୍ତି ଲଗାଇବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଧମକ ଦେଇଛନ୍ତି। ଏହାକୁ ନେଇ ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ମସ୍କୋ ନିଜ ସୀମା ଭିତରେ ନ ରହିଲେ ଏହାର ଭୟଙ୍କର ପରିଣାମ ଭୋଗିବ ବୋଲି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକି ସୁଲେଭାନ୍‌ କହିଛନ୍ତି।
ଭୂମିକୁ ରୁଷିଆ ଦଖଲକୁ ନେବା ନାଟୋ ଓ ମସ୍କୋ ମୁହାଁମୁହିଁ ହେବା ଭଳି ସ୍ଥିତି ଉପୁଜାଇଛି। କାରଣ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସାମରିକା ସହାୟତା ଯୋଗାଇଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ସାକ୍ଷାତକାରରେ ସୁଲେଭାନ କହିଛନ୍ତି, ୟୁକ୍ରେନ୍‌ ବିରୋଧରେ ରୁଷିଆ ଅଣୁ ଅସ୍ତ୍ର ବ୍ୟବହାର କଲେ ଆମେରିକା ଏହାର କଡ଼ା ଜବାବ ଦେବ। ଏହା ମସ୍କୋକୁ ମହଙ୍ଗା ପଡ଼ିବ। ଶନିବାର ଜାତିସଂଘର ସାଧାରଣ ସଭା (ୟୁଏନ୍‌ଜିଏ)ରେ ଭାଷଣ ଦେଇ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍ରୋଭ୍‌ କହିଥିଲେ, ରୁଷିଆ ଏହାର ସୀମା ଏବଂ ଆଗକୁ ଦେଶର ସମ୍ବିଧାନରେ ସାମିଲ ହେବାକୁ ଥିବା ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ମସ୍କୋର ସୁରକ୍ଷା ପ୍ରାପ୍ତ। ଏଥିସହ ୟୁକ୍ରେନ୍‌ରେ ନାଜି ସମର୍ଥକଙ୍କୁ ଚତୁରତାର ସହ ଶାସନରେ ଅବସ୍ଥାପିତ କରାଯାଇଛି ବୋଲି ସେ ଦାବି କରିଥିଲେ। ପ୍ରକାଶ ଥାଉ କି, ରୁଷିଆ ସେନା ଦଖଲରେ ଥିବା ଉକ୍ତ ୪ ଅଞ୍ଚଳର ୟୁକ୍ରେନ୍‌ର ପ୍ରାୟ ୧୫%। ଏହା ପର୍ତ୍ତୁଗାଲର ଆକାର ସହ ପ୍ରାୟ ସମାନ। ଏଥିସହ ୨୦୧୪ରେ ରୁଷିଆ କବ୍‌ଜା କରିଥିବା ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପ ବେଲ୍‌ଜିୟମ ଆକାରର।

Share