Categories: ଜାତୀୟ

ପ୍ରବାସୀ ସଙ୍କଟ ପାଇଁ କଂଗ୍ରେସ ଦାୟୀ

ନୂଆଦିଲ୍ଲୀ,୭।୨: ପ୍ରଥମ କୋଭିଡ୍‌-୧୯ ଲହର ବେଳେ ଦେଶରେ ସୃଷ୍ଟି ହୋଇଥିବା ପ୍ରବାସୀ ସଙ୍କଟ ପାଇଁ ବିରୋଧୀ ତଥା କଂଗ୍ରେସକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

“କଂଗ୍ରେସ ତା’ର ସବୁ ସୀମା ଡେଇଁଛି। ପ୍ରଥମ ଲହର ବେଳେ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିଲା, ସେତେବେଳେ ଯିଏ ଯେଉଁଠାରେ ଅଛି ସେଠାରେ ରହିବାକୁ ପରାମର୍ଶ ଦେଇଥିଲା ହୁ (ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ)। ସେହି ସମୟରେ କଂଗ୍ରେସ ମୁମ୍ବାଇ ରେଳ ଷ୍ଟେଶନରେ ଶ୍ରମକିଙ୍କୁ ଟିକେଟ୍‌ ବାଣ୍ଟିଥିଲା। ଯାହା ଫଳରେ କରୋନା ଭାଇରସ ବ୍ୟାପି ଥିଲା” ବୋଲି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର କହିଛନ୍ତି।

“ତୁମେ ପ୍ରବାସୀ ଶ୍ରମିକଙ୍କୁ ସଙ୍କଟକୁ ଠେଲି ଦେଇଥିଲ। ଦିଲ୍ଲୀରେ ବସ୍ତିକୁ ଯାଇ ମାଇକ୍‌ରେ ଘୋଷଣା କରିଥିଲେ, ଘରକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବସ ବ୍ୟବସ୍ଥା କରାଯାଇଛି। ଏଥିଯୋଗୁ ଉତ୍ତରପ୍ରଦେଶ ଓ ପଞ୍ଜାବରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଥିଲା, ଯେଉଁଠାରେ ସେତେବେଳେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ସେତେ ନ ଥିଲା” ବୋଲି ମୋଦି କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ରେ ପୂରା ଦେଶରେ ଲକ୍‌ଡାଉନ ଜାରି ଥିବାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଚାଲି ଚାଲି ଘରକୁ ଫେରିବା ଆରମ୍ଭ କରିଥିଲେ। ଏଥିଲାଗି ସରକାରଙ୍କୁ ଘେରିଥିଲେ ବିରୋଧୀ।

Share