Categories: ଜାତୀୟ

ସୀମା ପାର୍‌ ଷଡ଼ଯନ୍ତ୍ର, ୭ ରାଜ୍ୟ ବାଟେ ଦିଲ୍ଲୀକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ…

ନୂଆଦିଲ୍ଲୀ,୨୮।୨ : ଭାରତର ସୀମା ଆରପାରିରୁ କିଛି ସଂଗଠନ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ନିୟୋଜିତ ଅଛନ୍ତି। ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ପ୍ରକାଶ ପାଇଛି। ଏଭଳି ଲୋକଙ୍କ ଉପରେ ନଜର ରଖିବାକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀ-ଏନସିଆର ଏବଂ ପଞ୍ଜାବର ଗ୍ୟାଙ୍ଗଷ୍ଟରଙ୍କ ନେଟୱାର୍କକୁ ସୀମା ପାର୍‌ରୁ ଚୋରା ଚାଲାଣକାରୀ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇ ଦେଶରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ଷଡ଼ଯନ୍ତ୍ର ରଚାଯାଇଛି।

ଅସ୍ତ୍ରଶସ୍ତ୍ର ଯୋଗାଣକାରୀମାନେ ଗ୍ୟାଙ୍ଗଷ୍ଟରଙ୍କ ନିକଟରେ ପହଞ୍ଚିବା ପାଇଁ ଡ୍ରଗ ଯୋଗାଣକାରୀଙ୍କ ସାହାଯ୍ୟ ନେଉଛନ୍ତି। ନାର୍କୋ ଆତଙ୍କବାଦ ଦିଗରେ କାର୍ଯ୍ୟ କରୁଥିବା ଏଜେନ୍ସିମାନେ କ୍ରମାଗତ ଭାବରେ ବିଦେଶରୁ ଡ୍ରଗ୍ସ ଯୋଗାଉଥିବା ଲୋକଙ୍କୁ ଗିରଫ କରୁଛନ୍ତି।

ଏହି ସମୟରେ ଚୋରା ଚାଲାଣକାରୀଙ୍କଠାରୁ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ଏହା ପରେ ଗୁପ୍ତଚର ବିଭାଗ ସନ୍ଦିଗ୍ଧମାନଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ଆରମ୍ଭ କରିଥିଲା। ଜଣାପଡିଥିଲା ଯେ ଆତଙ୍କବାଦୀ ସଂଗଠନର ସ୍ଲିପର ସେଲ୍‌କୁ ସୀମା ଆରପାର୍ଶ୍ୱରୁ ଏସବୁ ଯୋଗାଇ ଦିଆଯାଉଥିଲା। ଏହି କାର୍ଯ୍ୟରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦେଉଛି।

ସେମାନଙ୍କ ନେଟୱାକ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ଝାଡଖଣ୍ଡ ଆଦି ୭ ରାଜ୍ୟ ବାଟେ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବି ଥିବା ଜଣାପଡିଛି। ଅସ୍ତ୍ରଶସ୍ତ୍ର ଚୋରାଚାଲାଣରେ ସୋସିଆଲ ମିଡିଆର ମଧ୍ୟ ବ୍ୟବହାର କରାଯାଉଛି।

Share