ନଷ୍ଟ ହୋଇଛି ୧୦୫.୯୦ ଏକର ଜମିର ଫସଲ

ଉମରକୋଟ,୨୬।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ବୁର୍ଜା ପଞ୍ଚାୟତ କପସାଭଟା ଗ୍ରାମରେ ସଂରକ୍ଷିତ ଜଙ୍ଗଲ ଜମି ଅଧିଗ୍ରହଣକୁ ନେଇ ମକା ଫସଲ ନଷ୍ଟ ଓ ଘର ପୋଡି ଘଟଣାରେ ଉଚ୍ଚସ୍ତରୀୟ ଅନୁସନ୍ଧାନ ପାଇଁ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ମୋଟ ୧୦୫.୯୦ ଏକର ମକା ଫସଲ ନଷ୍ଟ ହୋଇଥିବା ଉମରକୋଟ ତହସିଲଦାର ଏନ୍‌. ଜଗତ ଜୀବନ ଚୌଧୁରୀ ସୂଚନା ଦେଇଛନ୍ତି। ତେବେ କ୍ଷତି ହୋଇଥିବା ଜମିର ପଟ୍ଟା କାହା ନାମରେ ନ ଥିବା ତହସିଲଦାର ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ କପସାଭଟା, ସାରିଆଭଟା, ଲକଟିପକନା ଆଦି ଗ୍ରାମକୁ ରାସ୍ତା, ବିଦ୍ୟାଳୟ, ନଳକୂପ, ପେନସନ, ରାସନ କାର୍ଡ ଅଛିକି ନାହିଁ ତାହା ତଦାରଖ କରିବା ସହ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳୁଛି କି ନାହିଁ ସେ ନେଇ ଅନୁଧ୍ୟାନ କରିଛନ୍ତି। ବିଦ୍ୟାଳୟରେ ପାଠପଢା କିପରି ଚାଲିଛି, ଶିକ୍ଷକମାନେ ନିୟମିତ ଭାବରେ ସ୍କୁଲ କୁ ଆସୁଛନ୍ତି କି ନାହିଁ ଏହି ସବୁ ଦିଗ କୁ ନେଇ ତଦାରଖ କରିଥିଲା ଟିମ୍‌ ଯୁଗ୍ମ ଟିମ। ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦିଆଯିବ, ସେମାନେ ଯାହା ନିଷ୍ପତି ନେବେ ବୋଲି ଅରସିଥିବା ଅଧିକରୀମାନେ କହିଛନ୍ତି। ଜିଲାପାଳଙ୍କ ନିର୍ଦ୍ଧେଶକ୍ରମେ ଉମରକୋଟ ତହସିଲଦାର ଏନ୍‌. ଜଗତ ଜୀବନ ଚୌଧୁରୀ, ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ, ଉମରକୋଟ ଥାନା ସବ୍‌ଇନ୍ସିପେକ୍ଟର ଖଗେଶ୍ବର ଖୋସଲା, ଉମରକୋଟ ବିଡିଓଙ୍କ ପ୍ରତିନିଧି ଭାବେ ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁନିତ୍‌ ରାମ ଗଣ୍ଡ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରିକିରାମ ଚନ୍ଦ୍ରକାର, ଜିଲା କୃଷି ଅଧିକାରୀ ବିଜୟ କୁମାର ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ ବିଧୂଭୂଷଣ ମହାକୁଳ, ରାଜସ୍ବ ପରିଦର୍ଶକ ଅନିଲ ଦାସ ପ୍ରମୁଖ ପରିଦର୍ଶନରେ ଆସିଥିଲେ।