ଅନ୍ୟଜମିକୁ ନିଜର ଦର୍ଶାଇ କରାଯାଇଛି ଫସଲ ବୀମା, ଥାନାରେ ମାମଲା, ପୋଲିସର ତନାଘନା

ଲାଠୋର,୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧିନ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଜମିକୁ ନିଜର ଦର୍ଶାଇ କେତେଜଣ ଫସଲ ବୀମା କରିଛନ୍ତି। ପ୍ରକୃତ ଜମି ମାଲିକ ଏହା ଜାଣିବା ପରେ ଲାଠୋର ଥାନାରେ ଏତଲା ଦେଇଥିଲେ। ଦଫା ୪୨୦, ୪୬୮, ୪୭୧, ୩୪ ଆଇପିସିରେ ଏକ ମାମଲା(୬୬/୨୩)ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ଝସକେତନ ଭୋଇ କହିଛନ୍ତି।
ବେନ୍ଦର ମୌଜାରେ ଖାତା ନଂ ୨୬ରେ ଶେଷଦେବ ପଧାନଙ୍କ ୩୫ ଏକର ୪୪ ଡ଼ିସମିଲ ଚାଷଜମି ରହିଛି। ଏହି ଜମିକୁ ତାଙ୍କ ପୁଅ ଏବଂ ନାତି ଶେଷଦେବ ପଧାନ, ଗଣେଶ ପଧାନ, ଅର୍ଜୁନ ପଧାନ, ମୋତିରାମ ପଧାନ, ହର ପଧାନ ଓ ଅନିରୁଦ୍ଧ ପଧାନ ଭାଗ କରି ଚାଷ କରୁଛନ୍ତି। ୨୦୨୨ମସିହାରେ ସମସ୍ତେ ମିଶି ସମ୍ପୃକ୍ତ ଚାଷଜମିକୁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ। ଫସଲ ବୀମାର ସଂଶୋଧନ କରିବା ପାଇଁ ସମ୍ପୃକ୍ତ ଚାଷୀମାନେ ନୋଟିସ୍‌ ମୁତାବକ ୩୦ ମେ ୨୦୨୩ ରେ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟରେ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ଚାଷଜମିକୁ ବେନ୍ଦେର ଗ୍ରାମର ସରୋଜ ପଧାନ, ଖପ୍ରାଖୋଲ ଗ୍ରାମର ଗଜରାଜ ପଧାନ, ଗୁଣନିଧି ପଧାନ, କବିତା ପଧାନ ଏବଂ ମହରାପଦର ଗ୍ରାମର ପଦ୍ମନାଭ ପଧାନ ଚଞ୍ଚକତା କରି ନିଜ ନାମରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇ ନେଇଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଶେଷଦେବ ଲାଠୋର ଥାନାରେ ଚଞ୍ଚକତା କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏତଲା ଦେଇଥିଲେ। ପରେ ଖପ୍ରାଖୋଲ ସହ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କୁ ସାକ୍ଷାତ କରି ଘଟଣା ବିଷୟରେ ଅବଗତ କରାଯାଇଥିଲା। ଅଭିଯୋଗ ପାଇବା ପରେ ସେ ୨୬ନଂ ଖାତାରେ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ବନ୍ଦ କରିବା ପାଇଁ ଉପର ମହଲକୁ ସୁପାରିଶ କରିଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି।