ଲଗାଣ ବର୍ଷାରେ ଫସଲ ନଷ୍ଟ

ରାଉରକେଲା ଅଫିସ,୨୩।୮: ଲଗାଣ ବର୍ଷା ଯୋଗୁ ରାଉରକେଲା ସହର ଆଖପାଖ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ଫଳାରେ ବର୍ଷଯାକର ଆହାର ପାଇଁ ଚାଷ କରିଥିବା ଚାଷୀ ଚିନ୍ତାରେ ପଡିଯାଇଛି। ଗତ ଶୁକ୍ରବାର ଠାରୁ ସହରରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ବସ୍ତି ତଳି ଅଞ୍ଚଳରେ ପାଣି ପଶିଯାଇଛି। ବହୁ ଚାଷଜମିରେ ପାଣି ମାଡିଯିବାରୁ ଫସଲ ନଷ୍ଟ ହୋଇଛି। ହନୁମାନ ବାଟିକ ପାଖ ଗାଡାଟୋଲା ବସ୍ତି, ସେକ୍ଟର-୬ ତାରିଣୀ ବସ୍ତି, ଝିରପାଣି, କୋଏଲବ୍ୟାଙ୍କ, ବାଗୁଡ଼ି ବସ୍ତି, ହମିରପୁର ଅଞ୍ଚଳରେ ଥିବା ଚାଷ ଜମିରେ ପାଣି ଜମି ରହିଥିବାରୁ ଧାନ ସହ ପରିବା ଚାଷ ନଷ୍ଟ ହୋଇଛି। ବାଗୁଡ଼ି ବସ୍ତିର କିଛି ଚାଷୀ ତାଙ୍କ ଜମିରେ ଦୁଇ ସପ୍ତାହ ତଳେ ଧାନ ରୋଇଥିଲେ। ଲଗାଣବର୍ଷା ଯୋଗୁ ଉକ୍ତ କ୍ଷେତରେ ପାଣି ଜମି ରହି ସବୁ ଧାନଗଛ ନଷ୍ଟ ହୋଇଯାଇଛି। ସେହିପରି ହମିରପୁର ଅଞ୍ଚଳର କିଛି ଚାଷୀଙ୍କର ଜମିରେ ବର୍ଷାପାଣି ଜମି ରହିଥିବାରୁ ଧାନ ଗଛ ଚେର ପଚି ଯାଇଥିବା ଅଭିଯୋଗ ହୋଇଛି। କୋଏଲ ବ୍ୟାଙ୍କ ଅଞ୍ଚଳରେ ପନିପରିବା ଚାଷ କରିଥିବା ଚାଷୀ ଅଜୟ ନାୟକଙ୍କ କ୍ଷେତରେ ପରିବା ଫସଲ ନଷ୍ଟ ହୋଇଛି। ଝିରପାଣିର ଧାନଚାଷୀ ଖେନକା ଓରାମଙ୍କ କ୍ଷେତରେ ବର୍ଷାଜଳ ଜମି ରହିଥିବାରୁ କ୍ଷେତର ଅଧା ଅଂଶ ଗଛ ପଚି ନଷ୍ଟ ହୋଇଛି। ଲଗାଣବର୍ଷା ଯୋଗୁ ହେକ୍ଟର ହେକ୍ଟର ଚାଷଜମି ଏବେ ପାଣି ଘେରରେ ବୁଡି ରହିଛି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ କୃଷକ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।