ଆନନ୍ଦପୁର,୨୪ା୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ପ୍ରବାହିତ ବୈତରଣୀରେ କୁମ୍ଭୀର ଆତଙ୍କ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ବନବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଇଛି। ବୈତରଣୀ ନଦୀର ତନେଇପାଳ ଘାଟ ନିକଟରେ କିଛି ଲୋକ କୁମ୍ଭୀର ଦେଖିବାକୁ ପାଇଥିବା ଖବର ଚର୍ଚ୍ଚାକୁ ଆସିଥିଲା। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ପକ୍ଷରୁ ନଦୀ ଅବବାହିକାରେ ବସବାସ କରୁଥିବା ନାହାଗୁଣା, କୁଣ୍ଡାକୋଠ, ଅମାରଙ୍ଗ, ସନ୍ତୋଷପୁର, ଯାତ୍ରାକୁସୁମ ଆଦି ଗ୍ରାମରେ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି। ନଦୀକୁ ନ ଯିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଘଟଣା ସମ୍ପର୍କରେ ଆନନ୍ଦପୁର ଡିଏଫ୍ଓ ଅଭୟ କୁମାର ଦଳେଇଙ୍କୁ ପଚରାଯିବାରୁ, କୁମ୍ଭୀର ବାହାରିଥିବା ସମ୍ପର୍କରେ ଲୋକଙ୍କ ଠାରୁ ସୂଚନା ପାଇଛୁ, କୁମ୍ଭୀରକୁ ଦେଖି ନ ଥିଲେ ବି ଲୋକଙ୍କ କଥା ଶୁଣି ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି। ନଦୀକୁ ବ୍ୟବହାର ପାଇଁ ଯିବା ସମୟରେ ସାବଧାନର ସହିତ ଯିବାକୁ ପରାମର୍ଶ ଦିଆଯାଇଛି।


