ମହିଳାଙ୍କୁ ଟାଣିନେଲା କୁମ୍ଭୀର: ମୃତଦେହ ଜବତ

ବରୀ,୧୭ା୮(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲା ବରୀ ବ୍ଲକ୍‌ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମରେ ବୁଧବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଜ୍ୟୋତ୍ସ୍ନା ଜେନା(୩୬) ବିରୂପା ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ତାଙ୍କୁ କୁମ୍ଭୀର ଟାଣିନେଇ ମାରିଦେଇଛି। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପ୍ରଚାରିତ ହେବାପରେ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ହୋଇ ପାରି ନ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ବିଧାୟିକା ସୁନନ୍ଦା ଦାସ, ତହସିଲଦାର ତିଳୋତ୍ତମା ପୃଷ୍ଟି ଏବଂ ବରୀ-ରାମଚନ୍ଦ୍ରପୁର ଥାନା ପୋଲିସ ପହଞ୍ଚତ୍ଥିଲା। ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ତେବେ ବାରମ୍ବାର ଏହି ନଦୀରେ କୁମ୍ଭୀର ଦେଖାଯାଉଥିବା ସାଧାରଣ ଲୋକେ କହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉନାହିଁ। ଫଳରେ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଘଟଣା ପରେ ଲୋକଙ୍କୁ ବନ୍ୟା ସମୟରେ ନଦୀକୁ ନ ଯିବା ପାଇଁ ପ୍ରଶାସନ ତରଫରୁ ସଚେତନ କରାଯାଇଛି।