ଭାରତୀୟ ଅର୍ଥନୀତିକୁ କଟାକ୍ଷ

ମାଡ୍ରିଡ୍‌/ ନୂଆଦିଲ୍ଲୀ,୧୫।୧୦: ଏକଦା ଭାରତକୁ ସାପୁଆକେଳାଙ୍କ ଦେଶ ବୋଲି ୟୁରୋପୀୟମାନେ କହୁଥିଲେ। ଦେଶ ବିକାଶ ଦିଗରେ ଅଗ୍ରସର ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ଭାରତ ପ୍ରତି ପାଶ୍ଚାତ୍ୟର ସାପୁଆ କେଳା ଓ କଳାଯାଦୁ ଆଭିମୁଖ୍ୟ ବିଷୟରେ ଏକାଧିକଥର ଅବତାରଣା କରିଥିଲେ। ୟୁରୋପୀୟ ରାଷ୍ଟ୍ର ସ୍ପେନ୍‌ ସମ୍ଭବତଃ ସାପୁଆ କେଳା ପ୍ରସଙ୍ଗ ଭୁଲିପାରି ନାହିଁ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଚିତ୍ରଣ କରିବାକୁ ଯାଇ ସ୍ପେନ୍‌ର ଏକ ଖବରକାଗଜ ଏହାର ପ୍ରଥମ ପୃଷ୍ଠାରେ ସାପୁଆ କେଳା ଛବି ଛାପିଛି। ଭାରତର ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଛି।
ଭାଙ୍ଗୁଆର୍ଡିଆ’ ହେଉଛି କାଟାଲୋନିଆର ଏକ ଅଗ୍ରଣୀ ଖବରକାଗଜ, ଯାହାର ମୁଖ୍ୟାଳୟ ବାର୍ସିଲୋନାରେ ଅବସ୍ଥିତ। ଅକ୍ଟୋବର ୯ରେ ଏହି ସ୍ପାନିଶ୍‌ ନ୍ୟୁଜ୍‌ପେପର ଭାରତୀୟ ଅର୍ଥନୀତି ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି, ଯାହାର ଶୀର୍ଷକ ରହିଛି ‘ଦି ଆଓ୍ବାର୍‌ ଅଫ୍‌ ଦ ଇଣ୍ଡିଆନ୍‌ ଇକୋନୋମି’। ଏହି ପ୍ରଚ୍ଛଦ ଷ୍ଟୋରିରେ ଏକ କାର୍ଟୁନ ରହିଛି। ଉକ୍ତ ବ୍ୟଙ୍ଗ ଚିତ୍ର ଜଣେ ସାପୁଆ କେଳାଙ୍କର, ଯିଏକି ଏକ ଗ୍ରାଫ୍‌ ଭିତରେ ବସି ନାଗେଶ୍ୱରୀ ବଜାଉଛନ୍ତି। ସାରା ବିଶ୍ୱ ମୁଦ୍ରାସ୍ଫୀତିଜନିତ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଆଗକୁ ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଭଳି ସମୟରେ ଭାରତୀୟ ଅର୍ଥନୀତିର ଉପରମୁହଁା ଗ୍ରାଫ୍‌କୁ ସାପୁଆକେଳା ଜଣକ ନିୟନ୍ତ୍ରଣ କରୁଥିବା ଏହି କାର୍ଟୁନରୁ ବୁଝାପଡ଼ୁଛି। ସାମାଜିକ ଗଣମାଧ୍ୟମରେ ଏହି ଫଟୋ ବହୁଳ ପ୍ରସାରିତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବେଙ୍ଗାଲୁରୁର ଭାଜପା ଏମ୍‌ପି ପି.ସି.ମୋହନ କହିଛନ୍ତି, ଭାରତର ଦୃଢ଼ ଅର୍ଥନୀତି ବୈଶ୍ୱିକ ସ୍ବୀକୃତି ପାଇଛି। ସ୍ବାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ଆମ ଛବିକୁ ସାପୁଆକେଳା ଭାବେ ଦର୍ଶାଇବା ମୂର୍ଖାମି ଛଡ଼ା କିଛି ନୁହେଁ। ସେହିପରି ଜିରୋଧା ସିଇଓ ନୀତୀନ କାମାଥ କହିଛନ୍ତି, ଭାରତୀୟ ଅର୍ଥନୀତି ସମ୍ପର୍କରେ ବିଶ୍ୱର ଧାରଣା ବଦଳିବାରେ ଲାଗିଛି। କିନ୍ତୁ ଭାରତକୁ ପ୍ରତିନିଧିତ୍ୱ କରିବା ଭଳି ସାପୁଆକେଳାର ସାଂସ୍କୃତିକ ବ୍ୟଙ୍ଗ ଚିତ୍ର ଦେଶ ପ୍ରତି ଏକ ଅପମାନ। ଲେଖକ ରଜତ ସେଠୀ ମଧ୍ୟ ଏଭଳି ତାଚ୍ଛଲ୍ୟକୁ ନିନ୍ଦା କରିଛନ୍ତି। ଆଉ କେତେଜଣ ୟୁଜର୍ସ ଏଥିରେ ଅପମାନିତ କଲା ଭଳି କିଛି ନାହିଁ ବୋଲି ମତ ଦେଇଛନ୍ତି।

Share