ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ଚକାପାଦ ବ୍ଲକ ଅନ୍ତର୍ଗତ ଅଣ୍ଡରିଗଡ ଗ୍ରାମର ଜୟନ୍ତି ମଳିକ ି ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଗ୍ରାମରୁ ୭ କିମି ଖଟିଆରେ ଆମ୍ବୁଲାନ୍ସ ଆସିବା ସ୍ଥାନକୁ ବୋହି ଅଣାଯାଇଥିଲା । ଏହାପରେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ଯୋଗ୍ୟ , ଜୟନ୍ତୀ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଆଣିବା ଯୋଜନା କରିଥିଲେ। କିନ୍ତୁ ଏକାଧିକ ପାହାଡ ଦେଇ ଉକ୍ତ ଗ୍ରାମକୁ ଯିବାକୁ ଥିବା ବେଳେ ପକ୍କା ରାସ୍ତା କରିବା ପ୍ରଶାସନ ପାଇଁ କଷ୍ଟକର ବ୍ୟାପାର। ତେଣୁ ଗ୍ରାମର କୌଣସି ଲୋକ ଅସୁସ୍ଥ ହେଲେ ତାଙ୍କୁ ଖଟିଆରେ ବୋହି ଆଣିବାକୁ ପଡୁଛି । ଏହାପରେ ସେଠାରୁ ଭଞ୍ଜନଗର ମେଡିକାଲ ଆଣିବା ବ୍ୟବସ୍ଥା କରାଯାଉଛି । ତେଣୁ ଆଜି ମଧ୍ୟ ଜୟନ୍ତୀଙ୍କୁ ଖଟିଆରେ ବୋହି ଆଣିବାକୁ ପଡ଼ିଥିଲା। ଗ୍ରାମର ପ୍ରାୟ ୧୦ ଲୋକ ଉକ୍ତ ମହିଳାଙ୍କୁ ଖଟିଆରେ ବହି ଆଣିଥିଲେ। ପାହାଡ ଉପରେ ବସବାସ କରୁଥିବା ଅନେକ ଲୋକଙ୍କୁ ସରକାର ସୁରକ୍ଷିତ ସ୍ଥାନରେ ନେଇ ଥଇଥାନ କରିବା ଯୋଜନା କରୁଛନ୍ତି। କିନ୍ତୁ ଲୋକେ ପ୍ରଶାସନର ଅନୁରୋଧକୁ ଅନେକ ସ୍ଥାନରେ ଗ୍ରହଣ କରୁନାହାନ୍ତି। ଲୋକେ ଅନେକ କଷ୍ଟ ସହ୍ୟ କରୁଥିଲେ ମଧ୍ୟ ନିଜ ଭିଟାମାଟି ଛାଡ଼ିବାକୁ ନାରାଜ ହେଉଛନ୍ତି। ଅନ୍ୟପଟେ ପ୍ରଶାସନ ମଧ୍ୟ ବିଭିନ୍ନ କାରଣରୁ ସରକାରୀ ସୁବିଧା ଯୋଗାଇ ଦେବାକୁ ସକ୍ଷମ ହେଉନାହିଁ। ଏହିଭଳି ପରିସ୍ଥିତିରେ ଜୟନ୍ତୀ କିଛି ଦିନ ପୂର୍ବେ ଅସୁସ୍ଥ ହୋଇଥିଲେ । ଏହାପରେ ସେ ଗ୍ରାମରେ ଗୁଣି ଗାରେଡ଼ି ହୋଇଥିବା ଭାବି ଝାଡଫୁଙ୍କ କରିଥିଲେ। କିନ୍ତୁ ରୋଗ କମିନଥିଲା । ଏହିଭଳି ପରିସ୍ଥିତିରେ ସେ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଅଣାଯାଇଥିଲା।

 

Odisha’s No.1 Odia Daily

Share