ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍‌ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି

ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଜୁଭେଣ୍ଟସ ଷ୍ଟ୍ରାଇକର ରୋନାଲ୍ଡୋ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୁଏଜଙ୍କୁ ଦେଖା କରିବା ପାଇଁ ଭାଙ୍ଗିଛନ୍ତି କୋଭିଡ୍‌-୧୯ ନିୟମ। ଦୁହେଁ ତୁରିନ କାର୍ଯ୍ୟାଳୟଠାରୁ ଉତ୍ତର-ପଶ୍ଚିମ ଦିଗରେ ୧୫୦ କିଲୋମିଟର ଯାଇ ସ୍ନୋ ରାଇଡିଂର ମଜା ନେଇଥିଲେ।

ଏ ସମ୍ପର୍କରେ କମେଣ୍ଟ କରିବାକୁ ମନା କରି ଦେଇଛି ସିରି ଏ’ ଚାମ୍ପିୟନ ଜୁଭେଣ୍ଟସ ଦଳ। ରୋଡ୍ରିଗୁଏଜ ବୁଧବାର ୨୭ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଦୁହେଁ ସ୍ନୋ ରାଇଡିଂର ମଜା ନେଉଥିବା ଦେଖାବାକୁ ମିଳିଥିଲା। କିଛି ସମୟ ପରେ ପୋଷ୍ଟକୁ ହଟାଇ ଦେଇଥିଲେ। ଇଟାଲିରେ କୋଭିଡ୍‌-୧୯ ନିୟମ ଭଙ୍ଗକାରୀଙ୍କୁ ୪୮୫ ଆମେରିକୀୟ ଡଲାର ଜରିମାନା କରାଯାଉଛି।

Share