Categories: ଜାତୀୟ

ଦିଦିଙ୍କ ଉପରେ ସଙ୍କଟ, ପ୍ରାର୍ଥୀପତ୍ର ନାକଚ ହେବା ଆଶଙ୍କା…

କୋଲକାତା,୧୪।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବ। ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଏବେ ଦିଦିଙ୍କ ଉପରେ ସଙ୍କଟ ଦେଖାଦେଇଛି। ତାଙ୍କ ପ୍ରାର୍ଥୀପତ୍ର ନାକଚ ହେବାର ସ୍ଥିତି ଉପୁଜିଛି।

ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ରର ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ୫ଟି ପୋଲିସ ମାମଲା ସମ୍ପର୍କରେ ଉଲ୍ଲେଖ କରି ନ ଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ  ଭାଜପା ପ୍ରାର୍ଥୀ ପ୍ରିୟଙ୍କା ଟିବରିଓ୍ବାଲ ରିଟର୍ନିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି।

ଏସବୁ ମାମଲା ମମତାଙ୍କ ବିରୋଧରେ ଆସାମରେ ଦାଏର ହୋଇଥିଲା। ଏପ୍ରିଲ୍‌-ମେ’ରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଏସବୁ ମାମଲା ମମତାଙ୍କ ବିରୋଧରେ ରହିଥିବା କୁହାଯାଉଛି। ଯଦି ଏ ସମ୍ପର୍କରେ ମମତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଏ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପ୍ରାୟ ନିଶ୍ଚିତ। ଗତ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହୋଇଥିଲେ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସ ମଧ୍ୟରେ ତାଙ୍କୁ ବିଧାନସଭା ଆସନରୁ ନିର୍ବାଚିତ ହେବାକୁ ପଡ଼ିବ।

Share