ପୋଲିସ ଉପରକୁ ଗୁଳି ଫୁଟାଇ ଅପରାଧୀ ଫେରାର

ଦିଗପହଣ୍ଡି(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୮।୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚଢେୟାଗରଦ ଗ୍ରାମ ନିକଟ କେରାଣ୍ଡିମାଳ ଜଙ୍ଗଲରେ ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଲୁଚିଥିବା ପୋଲିସକୁ ଖବର ମିଳିଥିଲା। ତାଙ୍କୁ ଧରିବାକୁ ପୋଲିସ ଯୋଜନା କରିଥିଲା। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନେତୃତ୍ୱରେ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ବୁଧବାର ରାତିରେ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ। ରାତି ପ୍ରାୟ ୧୦ଟାରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ସମେତ ବ୍ରହ୍ମପୁର ଗୋସାଇଁ ନୂଆଗାଁ, ଗୋଳନ୍ଥରା, ଓ କେ. ନୂଆଗାଁ ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ଥାନାରୁ ଆସିଥିବା ବଛା ବଛା ଅଧିକାରୀ ଅପରେଶନରେ ଜଙ୍ଗଲକୁ ବାହାରିଥିଲେ। ଭୋରରେ ଟାମଣା-ମହୁରୀକାଳୁଆ -ଚଢେୟାଗରଦ ମଧ୍ୟବର୍ତ୍ତୀ ରାମଗୁଡ଼ା ସଂରକ୍ଷିତ ଜଙ୍ଗଲରେ ପୋଲିସ ଟିମ୍‌ କୁନାଙ୍କ ଆଡ୍ଡା ଅଭିମୁଖେ ଯାଉଥିଲେ। ଏହି ସମୟରେ କୁନା ଏବଂ ତାଙ୍କ ସହଯୋଗୀମାନେ ପାହାଡ଼ ଖୋଲରେ ଲୁଚି ପୋଲିସ ଉପରକୁ ଗୁଳି ଚଳାଇବା ସହ ବାରମ୍ବାର ବୋମାମାଡ଼ କରି ଖସିଯାଇଥିଲେ। ସୌଭାଗ୍ୟବଶତଃ ଏଥିରେ କେହି ପୋଲିସ କର୍ମଚାରୀ ଆହତ ହୋଇନାହାନ୍ତି। କୁନା ଜଙ୍ଗଲ ଭିତରେ ରହୁଥିବା ଘରୁ ୨ଟି ବନ୍ଧୁକ, ୧୧ଟି ଗୁଳି, ମନିପର୍ଶ, ମୋବାଇଲ ଫୋନ, ୨ଟି ଚାର୍ଜଲାଇଟ୍‌ ସହ ଅନ୍ୟାନ୍ୟ ଜିନିଷକୁ ପୋଲିସ ଜବତ କରିଛି। ସେହିପରି ଘରେ ମହଜୁଦ ଥିବା ବିପୁଳ ପରିମାଣର ଚାଉଳ, ଡାଲି, ଖାଇବା ତେଲ, ଅମୁଲ, ପ୍ୟାଣ୍ଟ, ଶାର୍ଟ ଓ ଘରକରଣା ସାମଗ୍ରୀକୁ ନଷ୍ଟ କରାଯାଇଥିବା ଗୁରୁବାର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ଏକ ପ୍ରେସ ନୋଟରେ ସୂଚନା ଦେଇଛନ୍ତି। ଦୁର୍ଦ୍ଦାନ୍ତ କୁନାଙ୍କ ନଁାରେ ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ଥାନାରେ ଏବେ ୨୫ ସଙ୍ଗୀନ ମାମଲା ରହିଛି। କୁନା ଏବେ ପୋଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ରହିଛି ବୋଲି ଏଏସପି କହିଛନ୍ତି। ପୋଲିସ ଉପରକୁ ଗୁଳିମାଡ଼ ଘଟଣାରେ ଦିଗପହଣ୍ଡି ଥାନାରେ ନଂ.୨୬୦/୨୧ ରେ କୁନାଙ୍କ ନଁାରେ ଏକ ମାମଲା ରୁଜୁ ହୋଇଥିବା ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି।