ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡି ପାଇଁ ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ ଛକଟି ଗୋଟିଏ ପଟେ ଜାତୀୟ ରାଜପଥ ୨୬ ଆଗକୁ ବରଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଅନ୍ୟଟି ଜାତୀୟ ରାଜପଥ ୫୯ ଅମାଠ ଛକରୁ ବାଲିଗୁଡା ହୋଇ ବ୍ରହ୍ମପୁର ପର୍ଯ୍ୟନ୍ତ ଲମ୍ବିଛି । ହେଲେ ଜିଲା ପୋଲିସ ପ୍ରଶାସନ ଉକ୍ତ ଛକକୁ ଭୁଲିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

ଦୀର୍ଘ ଦିନରୁ ଚେକପୋଷ୍ଟ ଉଦଘାଟିତ ହୋଇ ପଡି ରହିଛି । ଫାଣ୍ଡିରେ ହୋମହାର୍ଡଙ୍କୁ ଉକ୍ତ ଜିଲାର ସୀମାର ସମସ୍ତ କ୍ଷମତା ପ୍ରଦାନ କରାଯାଇଛି। କେସିଙ୍ଗା ପୋଲିସ ପକ୍ଷରୁ ଛକକୁ ଯାଇ ସମୟ ସମୟରେ ନିଜର ଉପସ୍ଥିତି ଜାହିର କରି ଗାଡିମଟର ତଦାରଖ ହେଉଥିଲେ ମଧ୍ୟ ଛକରେ ହେଉଥିବା ଅପରାଧ ଓ ବେନିୟମ କାମ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଅମାଠ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଦୁଇ ଜିଲାର ଅନେକ ବଡ଼ ବଡ଼ କ୍ରାଇମ୍ ସହିତ ବଡ଼ବଡ ବେଆଇନ କାର୍ଯ୍ୟ ହେଉଛି ।

ପୂର୍ବରୁ ଭବାନୀପାଟଣାରୁ କେସିଙ୍ଗା ହୋଇ ଅନେକ ଚୋରା ଗଞ୍ଜେଇ ସହିତ ଅନେକ ଚୋରା ଜିନିଷ ଯାଉଥିଲା ହେଲେ ପୋଲିସର ଧରପକଡ ଯୋଗୁଁ ବର୍ତ୍ତମାନ ଚୋରା ଗଞ୍ଜେଇ ମଦ ଓ ଅନ୍ୟାନ୍ୟ ଚୋରା ଜିନିଷ ଏବେ ଅମାଠ ହୋଇ ଜିଲା ବାହାରକୁ ଯାଉଛି। ଉଦାହରଣସ୍ୱରୂପ ଗତ ମାସେ ଦୁଇ ମାସ ତଳେ କେସିଙ୍ଗାରେ ସ୍ଥାପିତ ଏକ କମ୍ପାନୀର ପମ୍ପ ହାଉସରେ ଥିବା ବିଦ୍ୟୁତ୍ ଟ୍ରାନସଫାର୍ମରରୁ ପ୍ରାୟ ୩ ଶହ କେଜି ତମ୍ବା ତାର ଚୋରି ହୋଇଥିଲା । ଅମାଠ ଛକ ହେଇ ବାହାରକୁ ଯିବା ସମୟରେ ପୋଲିସ ହାବୁଡ଼ରେ ପଡ଼ି ତମ୍ବାତାର ଉଦ୍ଧାର ହୋଇଥିଲା ଓ ଚୋର ଗ୍ୟାଙ୍ଗ ଗିରଫ ହୋଇ କୋର୍ଟ ଚାଲାଣ କରା ଯାଇଛି। ପୁଣି କିଛି ଦିନ ତଳେ ଉକ୍ତ ଛକରେ ଜଣେ ଅପରିଚିତ ବ୍ୟକ୍ତିର ମୃତଦେହ ପୋଲିସ ଉଦ୍ଧାର କରି ଥିଲା ଓ ମୃତଦେହ ପାଖରେ ଥିବା ମୋଟର ସାଇକେଲରୁ ପ୍ରାୟ ୬୩ କେଜି ଚୋରା ଗଞ୍ଜେଇ ଜବତ ହୋଇ ଥିଲା। ଯାହାର ତଦନ୍ତ ଆଜି ପର୍ଯ୍ୟନ୍ତ ଚାଲିଛି।

ସେପଟେ ଉକ୍ତ ଚେକ ପୋଷ୍ଟରେ ଥିବା ଦୁଇଜଣ ହୋମ ଗାର୍ଡ ଅନେକ ସମୟରେ ଫାଣ୍ଡି ବନ୍ଦ ରହୁଥିବା ଅଭିଯୋଗ ହେଉଛି । ପ୍ରତିଦିନ ଉକ୍ତ ଛକ ଦେଇ ଅନେକ ଚୋରା ଗଞ୍ଜେଇ ଓ ମଦ ଜିଲା ବାହାରକୁ ତଥା ରାଜ୍ୟ ବାହାରକୁ ଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଚୋରା ଗଞ୍ଜେଇ ଓ ଚୋରା ମଦ କାରବାର ପାଇଁ ଏହି ଐତିହାସିକ ଛକଟି ବର୍ତ୍ତମାନ ବଦନାମ ହେବାରେ ଲାଗିଛି। ପୋଲିସ ଆଉଟପୋଷ୍ଟରେ ଜଣେ ଅଧିକାରୀଙ୍କ ସମେତ ଷ୍ଟାଫ ନିଯୁକ୍ତି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳଙ୍କୁ ପଚାରିବାରୁ ମୁଁ ଏସପିଙ୍କ ସହ କଥା ହୋଇ ବିଚାର କରାଯିବ ବୋଲି କହିଛନ୍ତି ।

Dharitri – Odisha’s No.1 Odia Daily

Share
Tags: kesinga news