ଖିଅପାଉନି କ୍ରାଇମ୍‌ବ୍ରାଞ୍ଚ

ପୁରୀ ଅଫିସ,୨୦ା୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତକୁ ୫ଦିନ ପୂରିଲାଣି। ମାତ୍ର ଏପର୍ଯ୍ୟନ୍ତ ଘଟଣା ଉପରୁ ପରଦା ହଟିପାରିନାହିଁ। ବାସ୍ତବରେ ଏହା ହତ୍ୟା ନା ଦୁର୍ଘଟଣା ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଶନିବାର କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଘଟଣାସ୍ଥଳ ଅନୁଧ୍ୟାନ କରି ଅଭିଯୁକ୍ତମାନଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯିବା ନେଇ ସୂଚନା ଦେଇଥିଲେ। ଏହାପରେ ଚିତ୍ତରଞ୍ଜନଙ୍କ ମୁଖ୍ୟ ସହଯୋଗୀ ଜଗନ୍ନାଥ ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ନିଆଯାଇ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି। ସେହିଭଳି ବ୍ୟବଚ୍ଛେଦ ରିପୋର୍ଟ ଆସି ପହଞ୍ଚିିଛି। ମାତ୍ର ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଇତିମଧ୍ୟରେ ଫରେନ୍ସିକ୍‌ ଟିମ୍‌ ସହ କ୍ରାଇମବ୍ରାଞ୍ଚ ଟିମ୍‌ ଦୁଇ ଥର ଗଡ଼ମୃଗଶିରା ନୂଆଗାଁସ୍ଥିତ ଘଟଣାସ୍ଥଳ ଅନୁଧ୍ୟାନ କରିସାରିଲାଣି। ମାତ୍ର ଏପର୍ଯ୍ୟନ୍ତ ଏକ ନିଷ୍କର୍ଷରେ ପହଞ୍ଚି ପାରୁନାହିଁ। ମୋଟିଭ୍‌ ଅଫ୍‌ କ୍ରାଇମ (ହତ୍ୟାର ଉଦ୍ଦେଶ୍ୟ) ଜାଣିବାରେ ପ୍ରଥମେ ପୋଲିସ ବିଫଳ ହୋଇଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ସମାନ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଓ ଅଟକ ବ୍ୟକ୍ତିଙ୍କ ବୟାନକୁ ନେଇ କ୍ରାଇମବ୍ରାଞ୍ଚ ସାମଞ୍ଜସ୍ୟ ଖୋଜୁଛି। ଦାସବର୍ମାଙ୍କ ପିଏସ୍‌ଓ ସର୍ବେଶ୍ୱର ଜେନାଙ୍କୁ ଅଟକ ରଖି ଜେରା ଜାରି ରଖିଛି। ମାତ୍ର ତାଙ୍କ ବିରୋଧରେ ଠୋସ୍‌ ପ୍ରମାଣ ଯୋଗାଡ଼ କରିପାରିନାହିଁ। ଅନ୍ୟପକ୍ଷରେ ଚିତ୍ତରଞ୍ଜନଙ୍କ ପରିବାରବର୍ଗ କ୍ରାଇମବ୍ରାଞ୍ଚ ଉପରେ ଆସ୍ଥା ରଖିଥିବା କହିଛନ୍ତି। ଏହି ହତ୍ୟାକାଣ୍ଡରେ ଜନୈକା ମହିଳା ଓ ଯୁବତୀଙ୍କୁ ନେଇ ଗତ ଦୁଇଦିନ ହେଲା ଚର୍ଚ୍ଚା ଜୋର ଧରିଥିଲା। ସମ୍ପୃକ୍ତ ଯୁବତୀ ଓ ମହିଳାଙ୍କୁ ଲାଏ ଡିଟେକ୍ସନ୍‌ ଟେଷ୍ଟରେ ସାମିଲ କରାଯିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ସେଭଳି କିଛି କରିନାହିଁ। ଫଳରେ ତଦନ୍ତର ଦିଗକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।