Categories: ଖେଳ

୨ ଖେଳାଳିଙ୍କ ଭାଗ୍ୟ ଖୋଲିଦେଲା ବିସିସିଆଇର ଘୋଷଣା: ଇଂଲଣ୍ଡ ବିପକ୍ଷରେ ନ ଖେଳି ବି ହେଲେ କୋଟିପତି

ନୂଆଦିଲ୍ଲୀ,୧୦।୩: ବିସିସିଆଇ ଶନିବାର ଖେଳାଳିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଟିମ୍‌ ଇଣ୍ଡିଆ ଧର୍ମଶାଳା ଟେଷ୍ଟରେ ବିଜେତା ହେବାର କିଛି ସମୟ ପରେ ବିସିସିଆଇ ସଚିବ ଜୟ ଶାହା ଟେଷ୍ଟ କ୍ରିକେଟରେ ଇନସେଣ୍ଟିଭ ସ୍କିମ ଆସୁଥିବା ଜଣାଇଥିଲେ। ଟେଷ୍ଟ କ୍ରିକେଟକୁ ପ୍ରାଧାନ୍ୟ ଦେଉଥିବା ଖେଳାଳିଙ୍କୁ ସମ୍ମାନ ଦେବା ଏହାର ଉଦ୍ଦେଶ୍ୟ ହୋଇଥିବା ବେଳେ ୨୦୨୨-୨୩ ସିଜନରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଶାହା କହିଥିଲେ। ଏହାଦ୍ୱାରା ବର୍ତ୍ତମାନ ଦଳରେ ନ ଥିବା ଖେଳାଳିମାନେ ମଧ୍ୟ ଲାଭ ପାଇବେ ବୋଲି ସ୍ପଷ୍ଟ ହୋଇଥିଲା, ଯେଉଁଥିରେ ଚେତେଶ୍ୱର ପୂଜାରା ଏବଂ ଦ୍ରୁତ ବୋଲର ଉମେଶ ଯାଦବ ରହିଛନ୍ତି।
ପୂଜାରା କୌଣସି ଆଇପିଏଲ ଫ୍ରାଞ୍ଚାଇଜର ଅଂଶ ନୁହନ୍ତି। କିନ୍ତୁ ସେ ଏହି ଯୋଜନାରୁ ମୋଟା ଅଙ୍କର ପାଉଣା ପାଇବେ।

ଟେଷ୍ଟ କ୍ରିକେଟ ଇନସେଣ୍ଟିଭ୍‌ ସ୍କିମ ଅଧୀନରେ ଖେଳାଳିମାନେ ମ୍ୟାଚ ଫି ବ୍ୟତୀତ ବୋନସ ପାଇବେ। ଯୋଜନାନୁଯାୟୀ, ଯଦି କୌଣସି ଖେଳାଳି ସିଜନ୍‌ର ମୋଟ ମ୍ୟାଚ ମଧ୍ୟରୁ ୭୫ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଥର ଏକାଦଶ ଟିମ୍‌ରେ ସାମିଲ ହୋଇଥିବେ, ତେବେ ଫି’ ବ୍ୟତୀତ ତାଙ୍କୁ ପ୍ରତି ମ୍ୟାଚ ପାଇଁ ୪୫ ଲକ୍ଷ ଟଙ୍କା ମିଳିବ। ସେହିଭଳି ୭୫ ପ୍ରତିଶତ ମ୍ୟାଚରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ୨୨.୫ ଲକ୍ଷ ଟଙ୍କା ମିଳିବ। ଯେଉଁ ଖେଳାଳିମାନେ ୫୦ ପ୍ରତିଶତ ମ୍ୟାଚ୍‌ ଖେଳିବେ ସେମାନେ ପୃଥକ ଭାବରେ ୩୦ ଲକ୍ଷ ଟଙ୍କା ପାଇବେ ଏବଂ ୫୦ ପ୍ରତିଶତ ମ୍ୟାଚରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ପୃଥକ ଭାବରେ ୧୫ ଲକ୍ଷ ଟଙ୍କା ମିଳିବ। ଏହାଠାରୁ କମ ମ୍ୟାଚ ଖେଳୁଥିବା ଖେଳାଳିଙ୍କ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ନୁହେଁ।

ଏବେ ପ୍ରଶ୍ନ ହେଉଛି ପୂଜାରା ଏବଂ ଉମେଶ ଏଥିରୁ କିପରି ଉପକୃତ ହେବେ। ବିସିସିଆଇ କହିଛି ଯେ ଏହି ଯୋଜନା ୨୦୨୨-୨୩ ସିଜନରୁ ଲାଗୁ ହେବ। ଏହି ସମୟ ମଧ୍ୟରେ ଭାରତ ୬ ଟେଷ୍ଟ ମ୍ୟାଚ ଖେଳିଥିଲା। ଏହି ଅବଧିରେ ପୂଜାରା ସମସ୍ତ ୬ ମ୍ୟାଚ ଖେଳିଥିଲେ। ଏଭଳି ପରିସ୍ଥିତିରେ ସେ ନିଶ୍ଚିତ ଭାବରେ ଏହି ମ୍ୟାଚ ପାଇଁ ପ୍ରତି ମ୍ୟାଚ ହିସାବରେ ୧୫ ଲକ୍ଷ ଟଙ୍କା ପାଇବେ। ଏହା ବ୍ୟତୀତ ସେ ପ୍ରତି ମ୍ୟାଚ ପାଇଁ ପୃଥକ ଭାବରେ ୪୫ ଲକ୍ଷ ଟଙ୍କା ପାଇବେ। ଅର୍ଥାତ ପୂଜାରା ଗତ ସିଜନ ପାଇଁ ମୋଟ ୩.୬ କୋଟି ଟଙ୍କା ପାଇବେ। ୨୦୨୨-୨୩ ସିଜନରେ ଉମେଶ ଯାଦବ ୪ ମ୍ୟାଚ ଖେଳିଥିଲେ, କିନ୍ତୁ ସେ ସମସ୍ତ ୬ ମ୍ୟାଚରେ ଦଳର ଅଂଶ ହୋଇଥିଲେ। ଏପରି ପରିସ୍ଥିତିରେ, ଯଦିଓ ସେ ଦୁଇଟି ମ୍ୟାଚରେ ଏକାଦଶରେ ସାମିଲ ହୋଇ ନାହାନ୍ତି ତଥାପି ତାଙ୍କୁ ପ୍ରତି ମ୍ୟାଚ ପାଇଁ ୨୨.୫ ଲକ୍ଷ ଟଙ୍କା ମିଳିବ। ଚାରିଟି ମ୍ୟାଚରେ ଏକାଦଶ ଟିମ୍‌ରେ ଥିବାରୁ ତାଙ୍କୁ ପ୍ରତି ମ୍ୟାଚ ପାଇଁ ୪୫ ଲକ୍ଷ ଟଙ୍କା ମିଳିବ। ଅର୍ଥାତ ସେ ମୋଟ ୩ କୋଟି ଟଙ୍କା ପାଇବେ।

Share