ନୂଆଦିଲ୍ଲୀ,୨୭।୨: କ୍ରିକେଟରେ ବିରାଟ କୋହଲିଙ୍କୁ ‘କିଙ୍ଗ୍’ ଆଖ୍ୟା ଦିଆଯାଇଛି। ସେ ଦିନିକିଆରେ ସର୍ବାଧିକ ଶତକ ଲଗାଇଥିବା ଖେଳାଳି। ଏହାଛଡ଼ା ଅନେକ ରେକର୍ଡ ତାଙ୍କ ନାମରେ ରହିଛି। କୌଣସି ବଡ଼ ଟୁର୍ନାମେଣ୍ଟରେ ଦଳର ଆବଶ୍ୟକତା ସମୟରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି। ଏହି କାରଣରୁ କୋହଲି ଯାହା ବଲ୍କୁ ଖେଳିବାକୁ ଡରନ୍ତି, ସେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏପରିକି ସେ କୋହଲିଙ୍କ ତୁଳନା ଲୋକପ୍ରିୟ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ କରିବା ସହ ପାକିସ୍ତାନରେ ସବୁଠାରୁ ବଡ଼ ରୋଲ୍ ମଡେଲ୍ ବୋଲି କହିଛନ୍ତି।
ଆମେ କହୁଛୁ ମହମ୍ମଦ ଆମିରଙ୍କ ବିଷୟରେ। ସେ କହିଛନ୍ତି, କୋହଲି କଠିନ ପରିଶ୍ରମ, ଅନୁଶାସନ ଏବଂ ପ୍ରଦର୍ଶନ ବଳରେ କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ ନାମ କମାଇଛନ୍ତି। ସେ ସବୁଥିରେ ଶ୍ରେଷ୍ଠ, ଏଥିଲାଗି ଯୁବ କ୍ରିକେଟରଙ୍କ ରୋଲ୍ ମଡେଲ। ଲୋକେ ରୋନାଲ୍ଡୋଙ୍କୁ କାହିଁକି ଭଲ ପାଆନ୍ତି? ମେସିଙ୍କୁ କାହିଁକି ପସନ୍ଦ କରନ୍ତି? ଯଦି ରୋନାଲ୍ଡୋଙ୍କ ବିଷୟରେ କହିବି ତେବେ ତାଙ୍କର ଜୀବନଚର୍ଯ୍ୟାକୁ ଦେଖନ୍ତୁ। ତାଙ୍କର ସମାଜସେବା, କାମ କରିବାର ଶୈଳୀ, ଫିଟନେସ୍ ଦେଖନ୍ତୁ। ସେ ପୁରା ପ୍ୟାକେଜ୍। ସେହିଭଳି କୋହଳି ମଧ୍ୟ ପୁରା ପ୍ୟାକେଜ୍। ସେ ପାକିସ୍ତାନରେ ମଧ୍ୟ ରୋଲ ମଡେଲ। କେଉଁ ଦେଶର ଖେଳାଳି ତାହା ଗୁରୁତ୍ୱ ରଖେନା, ଜଣେ ରୋଲ୍ ମଡେଲ୍ ଯେକୌଣସି ଦେଶର ହୋଇପାରେ। ଏହି ପୀଢ଼ି ଲାଗି କୋହଲି ଜଣେ ପ୍ରେରଣା।
କେବଳ ସେତିକି ନୁହେଁ ଆମିର କହିଛନ୍ତି, କୋହଲି ଏଭଳି ଜଣେ ଖେଳାଳି ଯାହାଙ୍କ ବୟସ ଗୁରୁତ୍ୱ ରଖେନା। ତାଙ୍କ କାମ କରିବାର ନିୟମ ତାଙ୍କ ଫର୍ମ ଆଧାରରେ ପରିବର୍ତ୍ତିତ ହୁଏ ନାହିଁ। ସେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ୯୦ ମିନିଟ୍ ଆଗୁଆ ଅଭ୍ୟାସ ଲାଗି ଆସିଥିଲେ। ଯିଏ ବି କ୍ରିକେଟର ହେବାକୁ ଚାହୁଁଛନ୍ତି, ବ୍ୟାଟିଂ କରିବାକୁ ଇଚ୍ଛୁକ ସେ କୋହଲିଙ୍କଠାରୁ ଶିଖିବା ଉଚିତ।
କହିରଖୁଛୁ, ଏକଦା ବିରାଟ ଏକ ସାକ୍ଷାତକାରରେ କହିଥିଲେ ଯେ ଅନ୍ତର୍ଜାତୀୟ କ୍ରିକେଟରେ ଆମିରଙ୍କୁ ସାମ୍ନା କରିବା କଷ୍ଟକର ବୋଲି କହିଥିଲେ। ହେଲେ ଏବେ ସେ ନିଜେ କୋହଲିଙ୍କ ପ୍ରଶଂସା କରିଛନ୍ତି।


