ବେଜିଂ,୧୩।୧୧:ଚାଇନାରେ କ୍ରିକେଟର ପ୍ରସାର ଓ ଲୋକପ୍ରିୟତା ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଉଛି। ୱାଲର୍ଡ ଚାମ୍ପିୟନସିପ ଅଫ କ୍ରିକେଟ (WCC) ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ (Dongyuehui Sports) ମିଳିତ ଭାବେ ଚାଇନାରେ ପ୍ରଥମ ଥର ପାଇଁ ୮ଟି ଦଳକୁ ନେଇ ଫ୍ରାଞ୍ଚାଇଜ ଭିତ୍ତିକ ଲିଜେଣ୍ଡ୍ସ ଟି-୨୦ ଲିଗ ଆୟୋଜନ କରିବାକୁ ଯୋଜନା କରୁଛନ୍ତି। ଏହାର ପ୍ରଥମ ସଂସ୍କରଣ ୨୦୨୭ ମେ’ ମାସରେ ଆୟୋଜିତ ହେବାର ଯୋଜନା ରହିଛି। ଏଥିରେ ଅନ୍ତର୍ଜାତୀୟ କ୍ରିକେଟ୍ର ବହୁ ପୂର୍ବତନ ପ୍ରସିଦ୍ଧ ଖେଳାଳି ଭାଗ ନେବେ।
ଚାଇନା କ୍ରିକେଟ୍ର ବିକାଶ ପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ନୂଆ ବଜାର ଓ ସମ୍ଭାବନା ଖୋଜୁଥିବାବେଳେ ଏହି ଲିଗ୍ର ଗୁରୁତ୍ୱ ବଢ଼ିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ୍ର ପ୍ରତ୍ୟାବର୍ତ୍ତନ ମଧ୍ୟ ଏହି ଖେଳର ବିଶ୍ୱବ୍ୟାପୀ ପ୍ରସାର ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଏହି ଯୋଜନାର ମୂଳଦୁଆ ୨୦୨୬ ଅକ୍ଟୋବରରେ WCC ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (MoU) ଜରିଆରେ ପଡ଼ିଥିଲା। ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ ଚାଇନାର ଜିଆଙ୍ଗସୁ ପ୍ରଦେଶ ଅନ୍ତର୍ଗତ ତାଇଚାଙ୍ଗର ଶାକ୍ସି ଟାଉନ କ୍ରିକେଟ ସେଣ୍ଟର ପରିଚାଳନା କରୁଛି।
ଏହି ଚୁକ୍ତିରେ WCCର ଅଧ୍ୟକ୍ଷ ପ୍ରବୀଣ ଶର୍ମା ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସର ଅଧ୍ୟକ୍ଷ ୟୋଙ୍ଗହୁଇ ଟୋଙ୍ଗ ସ୍ବାକ୍ଷର କରିଥିଲେ। ଏହି ପଦକ୍ଷେପ କେବଳ ଏକ ଅନ୍ତର୍ଜାତୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନରେ ସୀମିତ ନୁହେଁ; ବରଂ ନୂଆ ଦର୍ଶକ ଓ ବଜାର ପର୍ଯ୍ୟନ୍ତ କ୍ରିକେଟକୁ ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ।
WCC ଅଧ୍ୟକ୍ଷ ପ୍ରବୀଣ ଶର୍ମା କହିଛନ୍ତି ଯେ କ୍ରିକେଟ ବିଭିନ୍ନ ସଂସ୍କୃତି ଓ ସୀମା ଅତିକ୍ରମ କରି ଲୋକଙ୍କୁ ଯୋଡ଼ିବାର କ୍ଷମତା ରଖିଛି। ଚାଇନା ଏହି ଖେଳର ଭବିଷ୍ୟତ ବିକାଶ ପାଇଁ ଏକ ଆକର୍ଷଣୀୟ ବଜାର। ସ୍ଥାନୀୟ ପ୍ରଶାସନର ସହଯୋଗ ହାସଲ କରିବାକୁ ମଧ୍ୟ ଉଦ୍ୟମ ଚାଲିଛି। ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ ସହ ଏହି ସହଭାଗିତା ଜରିଆରେ ବିଶ୍ୱସ୍ତରୀୟ କ୍ରିକେଟ ଅନୁଭୂତି ପ୍ରଦାନ କରିବା ସହ ନୂଆ ପିଢ଼ିର ଖେଳାଳି ଓ ପ୍ରଶଂସକଙ୍କୁ ପ୍ରେରଣା ଦେବା ଭଳି ଏକ ମଞ୍ଚ ସୃଷ୍ଟି କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।