ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ ବଦଳରେ ଏଥର ତାଙ୍କ ହାତରେ ରହିବ ମାଇକ। ଅକ୍ଟୋବର ୯ରୁ ଆବୁଧାବିର ଜାୟେଦ କ୍ରିକେଟ ଷ୍ଟାଡିୟମ୍‌ରେ ଆରମ୍ଭ ହେଉଥିବା ଆଫଗାନିସ୍ତାନ-ବାଂଲାଦେଶ ଟେଷ୍ଟ ମ୍ୟାଚ୍‌ରେ ସେ କମେଣ୍ଟ୍ରି ପ୍ୟାନେଲ୍‌ରେ ସାମିଲ ହୋଇଛନ୍ତି।
ମାତ୍ର ୨୭ ବର୍ଷ ବୟସରେ ନବୀନ-ଉଲ-ହକଙ୍କ କମେଣ୍ଟ୍ରି ପ୍ୟାନେଲ୍‌ରେ ସାମିଲ ହେବା ଖବର ସାମ୍ନାକୁ ଆସିବା ପରେ ସେ କ୍ରିକେଟରୁ ଅବସର ନେଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏହି ଖବରକୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ACB) ଖଣ୍ଡନ କରିଛି। ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ନସିବ ଖାନଙ୍କ କହିବା ଅନୁଯାୟୀ, ନବୀନ ବର୍ତ୍ତମାନ ଆଘାତରୁ ସୁସ୍ଥ ହେଉଛନ୍ତି ଏବଂ ତାଙ୍କର ରିକଭରୀ ପ୍ରକ୍ରିୟା ଜାରି ରହିଛି। ସମ୍ପୂର୍ଣ୍ଣ ଫିଟ ହୋଇ ପଡ଼ିଆକୁ ଫେରିବା ହେଉଛି ତାଙ୍କର ପ୍ରାଥମିକତା। କମେଣ୍ଟ୍ରି ପ୍ୟାନେଲ୍‌ରେ ନବୀନଙ୍କ ଯୋଗଦାନକୁ ତାଙ୍କ ଖେଳ ଜୀବନର ଅନ୍ତିମ ନିଷ୍ପତ୍ତି ଭାବେ ଦେଖିବା ଉଚିତ୍‌ ନୁହେଁ। ସେ ଏବେ ବି ଆଫଗାନିସ୍ତାନ ଦଳର ଯୋଜନାର ଅଂଶ ଅଛନ୍ତି। ଫିଟନେସ ହାସଲ କରିବା ପରେ ସେ ଚୟନ ପାଇଁ ଉପଲବ୍ଧ ହେବେ।

ନବୀନ-ଉଲ-ହକ ୨୦୨୩ ମସିହାରେ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ ପରେ ୫୦ ଓଭର ବିଶିଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅପେକ୍ଷାକୃତ କମ ସକ୍ରିୟ ରହିଛନ୍ତି। ସେ ୨୦୨୪ରେ ଜିମ୍ବାୱେ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହାପରଠାରୁ ସେ ଆଘାତ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି।

 

Dharitri – Odisha’s No.1 Odia Daily

 

Share