ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ ଟାଉନ୍ ଥାନା ପୋଲିସ ପକ୍ଷରୁ ଏକ ବିଶେଷ ଚେକିଂ ଅଭିଯାନ କରାଯାଇଛି । ଗାଡ଼ିରେ କମ୍ପାନୀ ସାଇଲେନ୍ସର କାଢ଼ି ବେଆଇନ ଭାବେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାହନ ଚାଳକଙ୍କ ଉପରେ ପୋଲିସ କଡ଼ା ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୁଧବାର ଏହି ସ୍ୱତନ୍ତ୍ର ଜାଞ୍ଚ ଅଭିଯାନ ସମୟରେ ଟାଉନ୍ ଥାନା ପୋଲିସ ଟିମ୍ ସହରର ବିଭିନ୍ନ ପ୍ରମୁଖ ଛକରେ ଯାଞ୍ଚ କ୍ରିୟା କଡ଼ାକଡ଼ି କରିଥିଲେ।

ପ୍ରଚଣ୍ଡ ଓ କାନଫଟା ଶବ୍ଦ ସୃଷ୍ଟି କରୁଥିବା ୭ଟି ଦୁଇଚକିଆ ଯାନ (ବିଶେଷ କରି ବୁଲେଟ୍ ଓ ସ୍ପୋର୍ଟସ୍ ବାଇକ୍) କୁ ପୋଲିସ ଜବତ କରିଛି। ଏହାସହ ନିୟମ ଭଙ୍ଗକାରୀଙ୍କ ବିରୋଧରେ ମୋଟର ଯାନ ଆଇନ୍ ଅନୁଯାୟୀ ଚାଲାଣ କାଟି ମୋଟ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ବରିଷ୍ଠ ନାଗରିକ, ରୋଗୀ ଓ ପରୀକ୍ଷାର୍ଥୀଙ୍କୁ ଶବ୍ଦ ପ୍ରଦୂଷଣଜନିତ ସମସ୍ୟାରୁ ମୁକ୍ତି ଦେବା ପାଇଁ ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ କଡ଼ାକଡ଼ି ଭାବେ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି।

ଯେଉଁମାନେ ଗାଡ଼ିରେ ବେଆଇନ ସାଇଲେନ୍ସର ବ୍ୟବହାର କରୁଛନ୍ତି, ସେମାନେ ତୁରନ୍ତ ତାହା ହଟାଇ କମ୍ପାନୀ ସାଇଲେନ୍ସର ଲଗାଇବାକୁ ପୋଲିସ ସଚେତନ କରିଛି । ନଚେତ୍ ଆଗକୁ ଗାଡ଼ି ଜବତ ସହ ଆହୁରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଟାଉନ ଥାନା ପୋଲିସର ଏହି କଡ଼ା ପଦକ୍ଷେପକୁ ଭବାନୀପାଟଣା ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।

 

Dharitri – Odisha’s No.1 Odia Daily

Share