Categories: ଜାତୀୟ

ମ୍ୟାଗସେସେ ପୁରସ୍କାର ଗ୍ରହଣ କରିବାକୁ ମନା କଲେ କେ. କେ. ଶୈଳଜା

ଥିରୁଭାନନ୍ତପୁରମ୍‌,୪।୯: କେରଳର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ସିପିଆଇ (ଏମ) ନେତା କେ.କେ ଶୈଳଜା ସମ୍ମାନଜନକ ମ୍ୟାଗସେସେ ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ମ୍ୟାଗସେସେ ପୁରସ୍କାର କମିଟି ତରଫରୁ ତାଙ୍କ ନିକଟକୁ ଏକ ଚିଠି ଆସିଛି। କିନ୍ତୁ ମୁଁ ଜଣେ ସିପିଆଇ(ଏମ୍‌)ର କେନ୍ଦ୍ରୀୟ କମିଟି ସଦସ୍ୟା। ଏନେଇ କମିଟି ସହ ଆଲୋଚନା କରିଥିଲି ଏବଂ ପୁରସ୍କାର ଗ୍ରହଣ ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ କେ.କେ ଶୈଳଜା ନିପା ଭାଇରସ ଏବଂ କରୋନା ମୁକାବିଲା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିପା ହେଉ କି କରୋନା, ଏହା ପ୍ରଥମେ କେରଳରେ ଆକ୍ରମଣ କରିଥିଲା। ଶୈଳଜାଙ୍କ ନେତୃତ୍ୱରେ କେରଳରେ ଏହା ବିରୁଦ୍ଧରେ ପ୍ରଭାବଶାଳୀ ଭାବରେ ଲଢିଥିଲା। ସୂଚନାନୁସାରେ, ପୁରସ୍କାର କମିଟି ଇମେଲ ମାଧ୍ୟମରେ ସୂଚନା ଦେଇଛି ଯେ ପୁରସ୍କାର ପାଇଁ ତାଙ୍କ ନାମ ଚୟନ କରାଯାଇଥିଲା।
କେ.କେ ଶୈଳଜା ସରକାରଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱ ତୁଲାଉଥିଲେ। ତେଣୁ ସେ ବ୍ୟକ୍ତିଗତ ଭାବେ ଏଥିପାଇଁ ଶ୍ରେୟ ନେବା ଉଚିତ୍‌ ନୁହେଁ। ଏହା ଏକ ସାମୂହିକ ପ୍ରୟାସ ଥିଲା ବୋଲି ତାଙ୍କ ଦଳ ସିପିଆଇ(ଏମ୍‌) ବିଶ୍ୱାସ କରେ। ତେଣୁ ସେ ଏହି ପୁରସ୍ପାର ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ବିଭିନ୍ନ କ୍ଷେତ୍ରରେ ନିଃସ୍ବାର୍ଥପର ସେବା କରିଥିବା ବ୍ୟକ୍ତିଙ୍କୁ ମ୍ୟାଗସେସେ ପୁରସ୍କାର ଦିଆଯାଏ। ଏହାକୁ ଏସିଆର ନୋବେଲ ପୁରସ୍କାର ମଧ୍ୟ କୁହାଯାଏ। ଏହି ପୁରସ୍କାର ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମନ ମ୍ୟାଗସେସେଙ୍କୁ ଶ୍ରଦ୍ଧାଞ୍ଜଳି। ୧୯୫୭ରେ ତାଙ୍କ ସମ୍ମାନାର୍ଥେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା।

Share