ବସ୍ତାରେ ଗୋରୁର କଟାମୁଣ୍ଡ, ରାସ୍ତାରେ ପଡ଼ିଛି ଗୋ’ମାଂସ, କାର୍ଯ୍ୟାନୁଷ୍ଠାନ ଦାବିରେ…

ବାଲେଶ୍ୱର,୨୦ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ସ୍ଥାନୀୟଲୋକେ ଓ ବଜରଙ୍ଗ ଦଳର କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବସ୍ତା ଏସ୍‌ଡିପିଓ ମାନସ ଦେଓ, ମେରାଇନ ଥାନା ଆଇଆଇସି ରଶ୍ମିରେଖା ମହାଳିକ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ରାସ୍ତାରେ ଗୋ’ମାଂସ ପକାଇଥିବା ଅଭିଯୋଗ ହୋଇଛି। ଏପରିକି ଏକ ବସ୍ତାରେ କଟା ଗୋରୁ ମୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ ଜଣେ ଯୁବକକୁ ଅଟକ ରଖିଥିବା ବେଳେ ଗୋ’ମାଂସ ଚାଲାଣରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ରହିଛି।

Dharitri – Odisha’s No.1 Odia Daily