ଆସନ୍ତା ସପ୍ତାହରୁ ଆଞ୍ଚଳିକ ଭାଷାରେ କୋଓ୍ବିନ୍‌ ପୋର୍ଟାଲ

ନୂଆଦିଲ୍ଲୀ, ୧୮।୫(ପି.ଟି.): ଆଗାମୀ ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍‌ ଟିକା ନେବା ପାଇଁ ନାମ ପଞ୍ଜୀକରଣ ଓ ସ୍ଲଟ ବୁକିଂ ସହଜ ହୋଇପାରିବ। ଏହାବ୍ୟତୀତ କୋଭିଡ୍‌-୧୯ର ବିଭିନ୍ନ ଭାରିଆଣ୍ଟ ଚିହ୍ନଟ ଲାଗି ଆଇଏନ୍‌ଏସ୍‌ଏସିଓଜି ନେଟ୍‌ଓ୍ବର୍କରେ ଆଉ ୧୭ଟି ଲାବରେଟୋରିକୁ ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ୍‌-୧୯ର ଉଚ୍ଚସ୍ତରୀୟ ମନ୍ତ୍ରୀଗୋଷ୍ଠୀ ବୈଠକ ବସି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏବେ ଆଇଏନ୍‌ଏସ୍‌ଏସିଓଜି ନେଟ୍‌ଓ୍ବର୍କ ଅଧୀନରେ ୧୦ଟି ଲାବରେଟୋରିରେ ନମୁନାର ଭାରିଆଣ୍ଟ ପରୀକ୍ଷା କରାଯାଉଛି। ୨୬ ଦିନ ପରେ ଭାରତରେ କରୋନା ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଥିବା ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ସେହିପରି ଆକ୍ଟିଭ୍‌ ମାମଲା ଗତ ୨୪ ଘଣ୍ଟା ମଧ୍ୟରେ ୧,୦୧,୪୬୧ ହ୍ରାସ ପାଇଛି। ୨-ଡିଜି କୋଭିଡ୍‌ ଔଷଧ ପାଇଁ ସେ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

Share