ଗାଈ ଚରାଳିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ଦାରିଙ୍ଗବାଡ଼ି,୨୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମରେ ଗାଈ ଚରାଳି ମାଦି ପଡ୍ରାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ସେହି ଅଞ୍ଚଳ ପଣସପଦର ଗ୍ରାମର ଆକାଶ ପଡ୍ରା ବୋଲି ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି। ଆକାଶଙ୍କ ଠାରୁ ଏକ ଦେଶୀ ବନ୍ଧୁକ ପୋଲିସ ଜବତ କରିଛି। ତାଙ୍କ ନାମରେ ପୋଲିସ ଏକ ମାମଲା (୧୦୬/୨୩) ରୁଜୁ କରି ଅଧିକାତଦନ୍ତ ଚଳାଇଛି। ରବିବାର ଆକାଶଙ୍କୁ ଜେଏମ୍‌ଏଫ୍‌ସିରେ ହାଜର କରାଯାଇଥିବା ପୋଲିସ କହିଛ। ତେବେ ଦେଶୀ ବନ୍ଧୁକ ଦୀର୍ଘ ୨୦ ବର୍ଷ ଧରି ଆକାଶଙ୍କ ପରିବାର ବ୍ୟବହାର କରୁଥିବା ବେଳେ ସେମାନେ କେଉଁ ଉଦ୍ଦେଶ୍ୟରେ ଏହି ବନ୍ଧୁକ ବ୍ୟବହାର କରୁଥିଲେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଥାନାଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି, ଅଭିଯୁକ୍ତ ଆକାଶଙ୍କ ବାପାଙ୍କ ଅମଳରୁ ସେହି ବନ୍ଧୁକ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୃତ ମାଦି ପ୍ରତିଦିନ ଭଳି ଗାଈ ଚରାଇବାକୁ ଯାଇଥିବା ବେଳେ କୁଆଡ଼େ ଆକାଶଙ୍କ ମକା ଫସଲକୁ ଗାଈକୁ ଖୁଆଇ ଦେଇଥିଲେ ଗତ ବର୍ଷ ମଧ୍ୟ ସେଭଳି କୁଆଡ଼େ ମାଦି ଏଭଳି ମକା ଫସଲ ଖୁଆଇ ଦେଇଥିଲେ। ଫସଲ ନଷ୍ଟକୁ ନେଇ ଉତ୍ତ୍ୟକ୍ତ ଆକାଶ ମାଦିଙ୍କୁ ଗୁଳି କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିବା ପୋଲିସ କହିଛି।