ଦାରିଙ୍ଗବାଡି,୨୫/୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଗ୍ରୀନବାଡି ପଞ୍ଚାୟତ କୁତୁବାଡି ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଗାଈଚରାଳି ଜଳିଯାଇଛନ୍ତି। ସେ ହେଲେ କୁତୁବାଡି ଗ୍ରାମର ପ୍ରଭଞ୍ଜନ ପ୍ରଧାନ। ସେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିମା ପ୍ରଧାନଙ୍କ ସ୍ବାମୀ ବୋଲି ଜଣାପଡିଛି। ମଙ୍ଗଳବାର ସକାଳୁ ପ୍ରଭଞ୍ଜନ ଏବଂ ତାଙ୍କ ବଡ଼ଭାଇ ନିରଞ୍ଜନ ପ୍ରଧାନ ଦୁହେଁ ସେମାନଙ୍କ ଗୃହପାଳିତ ପ୍ରାଣୀ ଗାଈ ଓ ଛେଳି ନେଇ ଓଡିଶା ଆଦର୍ଶ ବିଦ୍ୟାଳୟର ପାଚେରି ନିକଟରେ ଚରାଉଥିଲେ। ଏହି ସମୟରେ ଗାଈ ଓ ଛେଳି ଲଟା ବୁଦା ଭିତରକୁ ଚାଲିଯିବାରୁ ପ୍ରଭଞ୍ଜନ ସେମାନଙ୍କୁ ଅଟକାଇବା ପାଇଁ ଲଟା ବୁଦା ଆଡକୁ ଯାଉଥିଲେ। ଏହି ସମୟରେ ପୂର୍ବରୁ ଉକ୍ତ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟରୁ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ପ୍ରଭଞ୍ଜନ ଆସିଥିଲେ। ତାଙ୍କ ମୁହଁ, ହାତ ଗୋଡ଼ ସବୁ ଜଳି ଯାଇଥିଲା। ଏହା ଦେଖି ସାଥିରେ ଥିବା ବଡ଼ଭାଇ ନିରଞ୍ଜନ ଗ୍ରାମବାସୀଙ୍କୁ ଫୋନ କରି ଜଣାଇଥିଲେ। ଗ୍ରାମବାସୀ ପହଞ୍ଚି ପ୍ରଭଞ୍ଜନଙ୍କୁ ଦାରିଙ୍ଗବାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳକୁ ପ୍ରଭଞ୍ଜନଙ୍କ ମୃତ୍ୟୁ ଘଟି ସାରିଥିଲା। ଘଟଣା ସମ୍ପର୍କରେ ଖବରପାଇ ଆଇଆଇସି ସଂଗ୍ରାମ କେଶରୀ ଜେନା ଏହାର ତଦନ୍ତ ଆରମ୍ଭ କରି ମୃତଦେହ ଜବତ କରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସୂଚନା ପାଇ ଦାରିଙ୍ଗବାଡି ସରପଞ୍ଚ ଦୀପକ ପ୍ରଧାନ ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ, ଘଟଣାର ତଦନ୍ତ କରାଯିବ। ଯଦି ବିଦ୍ୟୁତ୍ ତାର ଛିଣ୍ଡିଥିଲା ତେବେ ସବଷ୍ଟେସନରୁ ଫ୍ୟୁଜ୍ ଚାଲିଯିବା କଥା। ତେବେ ଘଟଣା ସମ୍ପର୍କରେ ତଦନ୍ତ ପରେ ଏହାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।