Categories: ଜାତୀୟ

ଗୋରୁଙ୍କୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌

ଲକ୍ଷ୍ନୌ,୨।୯: ଗୋରୁଙ୍କୁ ଭାରତର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌। ଗୋରୁଙ୍କ ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟ ପାଇଁ ମୌଳିକ ଅଧିକାର କରାଯିବା ଦରକାର। ଭାରତୀୟ ପରମ୍ପରାରେ ଗୋରୁଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଗାଇଙ୍କୁ ଦେଶର ମା’ ବୋଲି କୁହାଯାଏ। ବୁଧବାର ଏଭଳି କହି ଜଣେ ୫୯ ବର୍ଷୀୟ ମୁସଲିମଙ୍କ ଜାମିନ ନାମଞ୍ଜୁର କରିଛନ୍ତି ଆଲାହାବାଦ ହାଇକୋର୍ଟ।

ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଉକ୍ତ ବ୍ୟକ୍ତିଙ୍କୁ ଗୋ ହତ୍ୟା ଅଭିଯୋଗରେ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି।

ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ବାଖ୍ୟା କରୁଥିବା ମହାଭାରତ ଓ ବେଦ ଭଳି ଅନେକ ଗ୍ରନ୍ଥରେ ଗୋରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦର୍ଶାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋରୁଙ୍କୁ ଦେଶର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌। ଗୋରୁଙ୍କ ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟ ପାଇଁ ମୌଳିକ ଅଧିକାର ରହିବା ଦରକାର। କାରଣ ଦେଶର ପରମ୍ପରା ଓ ବିଶ୍ୱାସକୁ ଆଘାତ ଲାଗିଲେ, ଦେଶ ଦୁର୍ବଳ ହୋଇପଡ଼େ ବୋଲି ୧୨ ପୃଷ୍ଠାର ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ଜଷ୍ଟିସ ଶେଖର କୁମାର ଯାଦବ।

ଅଭିଯୁକ୍ତ ଜଣଙ୍କ ପୂର୍ବରୁ ମଧ୍ୟ ଗୋ ହତ୍ୟା କରିଛନ୍ତି। ଯଦି ତାଙ୍କୁ ଛାଡ଼ି ଦିଆଯାଏ, ତେବେ ସେ ପୁଣି ଥରେ ସମାନ ଅପରାଧ କରିବେ। ଏଣୁ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

Share