ବିନା ପରୀକ୍ଷାରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ

କଳିଙ୍ଗନଗର,୧୬।୧(ଡି.ଏନ.ଏ.): ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିନା ସ୍ବାବ୍‌ ପରୀକ୍ଷାରେ ମିଳୁଛି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ। ଗତ ୧୪ ତାରିଖ ଛୁଟି ଦିନରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ବିନା କୌଣସି ଡାକ୍ତରଙ୍କ ପରାମର୍ଶରେ ଏବଂ ବିନା କିଟ୍‌ ଟେଷ୍ଟରେ ୫୦୦ ଟଙ୍କା ଦେଇ ଜଣେ ବ୍ୟକ୍ତି ଏହି ରିପୋର୍ଟ ହାତେଇଥିବା ଜଣାପଡ଼ିଛି। ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହେବାରୁ ଶନିବାର ଅତରିକ୍ତ ଜିଲାପାଳ ଏହାର ତଦନ୍ତ କରିବାକୁ ଆସିବେ ବୋଲି ବିଶେଷ ସୂତ୍ରରୁ ଖବର ମଳିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯେଉଁ ସାର୍ଟିଫିକେଟ ଦିଆଯାଇଛି ସେଥିରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜାଲ ଦସ୍ତଖତ ଏବଂ ଷ୍ଟାମ୍ପ ମଧ୍ୟ ରହିଛି। ଏହାର ମୁଖ୍ୟ କାର୍ପେଟଦାର ସାଜିଛନ୍ତି ମେଡିକାଲର ଦୁଇ କର୍ମଚାରୀ।
ସୂଚନାଯୋଗ୍ୟ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଭିନ୍ନ କମ୍ପାନୀରେ ଯୋଗଦେବାକୁ ବାହାରୁ ଆସୁଥିବା କର୍ମଚାରୀ କରୋନା ନେଗେଟିଭ୍‌ ରିପୋର୍ଟ ଦେବା ବାଧ୍ୟତାମୂଳକ ହୋଇଛି। ସେହି ଅନୁସାରେ ଏଠାରେ କରୋନା ପରୀକ୍ଷା ପାଇଁ ଭିଡ଼ ଜମୁଛି। ମାତ୍ର ଏହାର ସୁଯୋଗ ନେଇ ସମ୍ପୃକ୍ତ ୨ ବ୍ୟକ୍ତି ଏଭଳି ଜାଲ ରିପୋର୍ଟ ଦେଉଥିବା ଅଭିଯୋଗ ହୋଇଛି। ତେବେ ଏଠାରୁ ନେଗେଟିଭ୍‌ ରିପୋର୍ଟ ନେଇଥିବା ବ୍ୟକ୍ତି ତୀର୍ଥସ୍ଥଳ ବୁଲି ଯାଇଥିବା ଜଣାପଡ଼ିଛି। ଏହିଭଳି ପ୍ରତିଦିନ ୨୦ରୁ ୩୦ ଜଣଙ୍କୁ ବିନା ପରୀକ୍ଷାରେ ନେଗେଟିଭ୍‌ ରିପୋର୍ଟ ଦିଆଯାଉଛି। ତେଣୁ ଏପରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ବଳ କହିଛନ୍ତି, ଏହି ରିପୋର୍ଟର ଯାଞ୍ଚ କରାଯିବ। ଏହାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।