କୋଭିଡ୍‌-୧୯ ସହାୟତା: ଗ୍ରାମାଞ୍ଚଳର ଗରିବ, ଅତିଗରିବଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌

ଭୁବନେଶ୍ୱର, ୨୫।୮(ବ୍ୟୁରୋ): କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କୋଭିଡ୍‌-୧୯ ସହାୟତା ପ୍ୟାକେଜ୍‌କୁ ଅନୁମୋଦନ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଓ ଅତି ଗରିବ ପରିବାର ତଥା ପ୍ରବାସ ଫେରନ୍ତା ଶ୍ରମିକଙ୍କ ଜୀବିକା ବିକାଶ ନିମନ୍ତେ ୪ ପ୍ରକାରର ସ୍ବତନ୍ତ୍ର ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି। ପ୍ୟାକେଜ୍‌ ୧ରେ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଋଣ ପ୍ରଦାନ କରାଯିବ। ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା କିମ୍ବା ସେମାନଙ୍କ ପରିବାରର ସଦସ୍ୟ କୃଷି ଓ ଅଣକୃଷି ଉଦ୍ୟୋଗର ବିକାଶ ପାଇଁ ଏହି ଋଣ ନେଇପାରିବେ। ସେହିପରି ଦ୍ୱିତୀୟ ପ୍ୟାକେଜ୍‌ରେ କୃଷି ଓ ଅଣକୃଷି କ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଏକକାଳୀନ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ୬ ମାସରୁ ଊର୍ଦ୍ଧ୍ୱ ଉଦ୍ୟୋଗ ଗୋଷ୍ଠୀ ଏବଂ ୧ ବର୍ଷରୁ ଉତ୍ପାଦକ ଗୋଷ୍ଠୀ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ପ୍ୟାକେଜ୍‌ ୩ରେ ଅତି ଗରିବ କିମ୍ବା ଅସହାୟ ପରିବାର ଯଥା ଦିବ୍ୟାଙ୍ଗ, ଆଦିମ ଜନଜାତି, ବିଧବା, ତୃତୀୟ ଲିଙ୍ଗ, ନିରାଶ୍ରୟ ଏବଂ ମହିଳା ମୁଖ୍ୟ ଥିବା ପରିବାର ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ସେହିପରି ପ୍ୟାକେଜ୍‌ ୪ରେ କୋଭିଡ୍‌ ୧୯ ମହାମାରୀ ସମୟରେ ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ଉଭୟ ପୁରୁଣା ଉଦ୍ୟୋଗର ବିକାଶ ତଥା ନୂତନ ଉଦ୍ୟୋଗର ଆରମ୍ଭ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀଭିତ୍ତିକ ସଂସ୍ଥା ଯଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ, ଗ୍ରାମପଞ୍ଚାୟତସ୍ତରୀୟ ସଂଘ, ଉଦ୍ୟୋଗ ତଥା ଉତ୍ପାଦକ ଗୋଷ୍ଠୀ ଏହି ପ୍ୟାକେଜ୍‌କୁ କାର୍ଯ୍ୟକାରୀ କରିବା ପାଇଁ ସହାୟତା ପ୍ରଦାନ କରିବେ। ଏହି ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣାର ଅବଧି ୬ ମାସ ରହିବ। ଏଥିସହିତ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଏବଂ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠି ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।