ପରେଡ୍‌ରେ ସ୍ଥାନ ପାଇବ କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୨୩।୧(ଆଇଏଏନ୍‌ଏସ୍‌): ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ କୋଭିଡ୍‌ ଟିକାର ବିକାଶ ପ୍ରକ୍ରିୟା ପ୍ରଦର୍ଶନ ହେବ। କରୋନା ମହାମାରୀରେ ଦେଶରେ ୧,୦୬,୨୫,୪୨୮ ଲୋକ ସଂକ୍ରମିତ ହୋଇଥିବାବେଳେ ୧,୫୩,୦୩୨ ଜଣଙ୍କ ଜୀବନ ଯାଇଛି। ଏହି ମହାମାରୀରୁ ବର୍ତ୍ତିବା ଲାଗି ଦୀର୍ଘଦିନରୁ ଟିକାକୁ ଅପେକ୍ଷା ଥିଲା। ଭାରତରେ କୋଭାକ୍ସିନ୍‌ ଓ କୋଭିଶିଲ୍ଡ ଟିକାକୁ ବ୍ୟବହାରିକ ମଞ୍ଜୁରୀ ମିଳିବା ପରେ ଜାନୁୟାରୀ ୧୬ରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ବାୟୋଟେକ୍‌ନୋଲୋଜି ବିଭାଗ ପ୍ରଜ୍ଞାପନ ମେଢ଼ରେ କରୋନା ଭୂତାଣୁ ବିରୋଧରେ ଭାରତର ମିଳିତ ସଂଗ୍ରାମରେ ନିଆଯାଇଥିବା ରଣନୀତିକ ପଦ୍ଧତି ସ୍ଥାନ ପାଇବ। ଉକ୍ତ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ରହିବ କୋଭିଡ୍‌ ବିରୋଧୀ ଲଢ଼େଇରେ ଆତ୍ମନିର୍ଭର ଭାରତ ଅଭିଯାନ। ମାନବ ଜାତିର ସୁରକ୍ଷା ଲାଗି ଐତିହାସିକ ସଫଳତା ସ୍ବରୂପ ଟିକା ଉତ୍ପାଦନର ବିଭିନ୍ନ ପ୍ରକ୍ରିୟା, କୋଭିଡ୍‌ ଭାକ୍ସିନ୍‌ ସହ ଜଣେ ବୈଜ୍ଞାନିକଙ୍କ ପ୍ରତିମୂର୍ତ୍ତି ମେଢ଼ ସମ୍ମୁଖ ଭାଗରେ ରହିବ। ମେଢ଼ର ପଛଭାଗକୁ ୫ ଭାଗରେ ବିଭକ୍ତ କରାଯାଇ ଭୂତାଣୁ ଆଇସୋଲେଶନ, କୋଷ ବିଭାଜନ, ଅଭିବୃଦ୍ଧି, ଭୂତାଣୁ ଷ୍ଟୋରେଜ୍‌ ସିଷ୍ଟମ୍‌, ଭୂତାଣୁ ଗବେଷଣା ଲାବରେଟୋରି, ବାୟୋରିଆକ୍ଟରରେ ଟିକା ପ୍ରସ୍ତୁତି ଏବଂ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପ୍ରଦର୍ଶିତ ହେବ। କ୍ୟାବିନ ବାହାରେ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସ୍ଥାନିତ ହେବ ବୋଲି ଜଣାପଡ଼ିଛି।

Share