କୋଭିଡ୍‌ ନିୟମ ଉଲ୍ଲଂଘନ: ଅମାନିଆଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ଝାରସୁଗୁଡା ଅଫିସ,୨୫।୭: କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି। ଜିଲାର ବିଭିନ୍ନ ସ୍ଥାନରେ କୋଭିଡ୍‌ କଟକଣାକୁ ମାନୁ ନ ଥିବା ତଥା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଗତ ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୧୧ ଦିନ ମଧ୍ୟରେ ଆଇନ ଉଲ୍ଲଂଘନକାରୀ ମାନଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏଥିସହ ବିପୁଳ ପରିମାଣର ମଦ ମଧ୍ୟ ଜବତ ହୋଇଛି। ଏ ନେଇ ଜିଲା ଏସ୍‌ପି ରାହୁଲ ପିଆର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ୭ ଲକ୍ଷ୍ୟ ୯ ହଜାର ୫୫୦ ଟଙ୍କା ଆଦାୟ ହୋଇ ଥିବା ବେଳେ ସାମାଜିକ ଦୂରତା ମାନୁ ନ ଥିବା ବ୍ୟକ୍ତିଙ୍କ ଠାରୁ ୨୧ ହଜାର ୨ ସହ ଟଙ୍କା ଜବତ ହୋଇଛି। ସେହିପରି ଯାନବାହନ ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ଠାରୁ ୯୫ ହଜାର ୯ ଶହ ଟଙ୍କା ଜବତ ହୋଇଛି।
ସେହିପରି ୫୫୯.୨୦ ଲିଟର ଦେଶୀ ମଦ ଓ ୧୪.୩୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ସବୁ ଘଟଣାରେ ୪୨ଟି ମାମଲା ରୁଜୁ ହୋଇଛି।