କରୋନା ଭ୍ୟାକ୍ସିନକୁ ନେଇ ଆଉ କିଛି ସପ୍ତାହ ମଧ୍ୟରେ ଆସିବ ଭଲ ଖବର : ମୋଦି

ନୂଆଦିଲ୍ଲୀ,୪ ।୧୨: କରୋନାକୁ ହରାଇବା ଏବେ ସମସ୍ତଙ୍କର ଲକ୍ଷ୍ୟ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ମହାମାରୀର ସ୍ଥିତିକୁ ନେଇ ଚର୍ଚ୍ଚା କରିବା ଲାଗି ଏକ ସର୍ବଦଳୀୟ ବୈଠକର ନେତୃତ୍ୱ ନେଇଥିଲେ । ଏଥିରେ କେନ୍ଦ୍ରର ବିଭିନ୍ନ ଦଳର ଶୀର୍ଷ ନେତାମାନେ ଭାଗ ନେଇଥିଲେ । ଏହି ବୈଠକ ପରେ ମୋଦି କହିଛନ୍ତି କରୋନା ଭ୍ୟାକ୍ସିନକୁ ନେଇ ଆଉ କିଛି ସପ୍ତାହ ମଧ୍ୟରେ ଭଲ ଖବର ଆସିବ । ଏବେ ପାଖାପାଖି ୮ଟି ଭ୍ୟାକ୍ସିନ ଟ୍ରାଏଲ ପର୍ଯ୍ୟାୟରେ ରହିଛି । ବୈଜ୍ଞାନିକଙ୍କ ମଞ୍ଜୁରୀ ମିଳିଯିବା ପରେ ଏହା ଉପରେ କାମ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ତେବେ କରୋନା ଭ୍ୟାକ୍ସିନର ଦାମ୍‌କୁ ନେଇ ମଧ୍ୟ ଛବି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଏହାର ଦାମ୍ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ ସ୍ଥିର କରାଯିବ ଓ ଲୋକଙ୍କୁ ଦୃଷ୍ଟିରେ ରଖାଯିବ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରିବେ । ସରକାର ଏକ ନ୍ୟାଶନାଲ ଏକ୍ସପର୍ଟ ଗ୍ରୁପ ଗଠନ କରିଛନ୍ତି ଯାହାର ସୁପାରିସ ଆଧାରରେ କାମ ହେବ । ତେବେ ଏହି ଭ୍ୟାକ୍ସିନ ପ୍ରଥମେ ବରିଷ୍ଠ ନାଗରିକ ଓ କରୋନା ଯୋଦ୍ଧାଙ୍କୁ ଦିଆଯିବ ବୋଲି ମୋଦି ସଙ୍କେତ ଦେଇଛନ୍ତି ।

Share