କୋଭିଡ୍‌ ଟେଷ୍ଟିଂ ଅବଧି ମାସେ ବଢ଼ିଲା

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଦେଶରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଷ୍ଟିଂ ଅବଧିକୁ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଚାଲିଥିବା କୋଭିଡ୍‌ ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏ ଥିଲା। ଏହାକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଛି। ଜିଲାଗୁଡ଼ିକରେ ମଧ୍ୟ ଟେଷ୍ଟିଂ ପରିମାଣ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଜଣେ ସ୍ବତନ୍ତ୍ର ସଚିବଙ୍କ ସହ ୩୦ ଜିଲା ପାଇଁ ୬ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ନେଇ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଶୁକ୍ରବାର ୬୫୦ ଟିକାକରଣ କେନ୍ଦ୍ରରେ ମୋଟ ୭୭,୯୦୪ଜଣ ଟିକା ନେଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ ୪୭,୧୭୯ଜଣ ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୧୦,୯୪,୯୫୨ଜଣ ଟିକା ନେଇ ସାରିଲେଣି। ଟିକାକରଣରେ ଓଡ଼ିଶା ଦେଶରେ ଦ୍ୱିତୀୟରେ ରହିଥିବାବେଳେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯାଉଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ୯୧% ସ୍ବାସ୍ଥ୍ୟକର୍ମୀ ଓ ୮୨% ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି, ଯାହା ସାରାଦେଶରେ ଦ୍ୱିତୀୟ ସର୍ବାଧିକ। ରାଜ୍ୟରେ ପ୍ରାୟ ୫୦ ଲକ୍ଷ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ବର୍ଷରୁ ଅଧିକ ଏକାଧିକ ରୋଗ ଥିବା ଲୋକ ରହିଛନ୍ତି। ଏମାନଙ୍କ ଟିକାକରଣ ଆଗାମୀ ମେ’ ୧୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଦେଶରେ କେତେକ ରାଜ୍ୟରେ ହଠାତ୍‌ ସଂକ୍ରମଣ ବଢ଼ି ଚାଲିଛି। କିନ୍ତୁ ଓଡ଼ିଶାରେ ଏବେ କରୋନା ନିୟନ୍ତ୍ରଣାଧୀନ ରହିଛି। ସଂକ୍ରମଣ ଯେପରି ନ ବଢ଼ିବ ସେଥିପାଇଁ ନିର୍ଦ୍ଦିଷ୍ଟ ୫ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଏୟାରପୋର୍ଟ ଓ ଷ୍ଟେଶନରେ ଯାଞ୍ଚ ହେଉଛି। ଲକ୍ଷଣ ଥିଲେ ଟେଷ୍ଟ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।