କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ଆର୍‌ଡିସି

ଖୋର୍ଦ୍ଧା ଅଫିସ,୨୬ା୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଅନିଲ କୁମାର ସାମଲ ମଙ୍ଗଳବାର ଖୋର୍ଦ୍ଧା ଜିଲା କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। କରୋନା ନିୟନ୍ତ୍ରଣ ଲାଗି ତୃଣମୂଳସ୍ତରରେ ଅଧିକ ସଚେତନତା ଉପରେ ଆରଡିସି ସାମଲ ଗୁରୁତ୍ୱ ଦେଇଥିଲେ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆରଡିସି ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲାପାଳ ସନତ ମହାନ୍ତି ଯୋଗଦେଇ ଜିଲାର କୋଭିଡ୍‌ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। କରୋନା ନିୟନ୍ତ୍ରଣ ଦିଗରେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ନୂତନ ରଣନୀତି ସମ୍ପର୍କରେ ଜଣାଇଥିଲେ। କରୋନା ପଜିଟିଭ୍‌ ରୋଗୀ ହୋମ୍‌ ଆଇସୋଲେଶନରେ ରହି ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହୋଇପାରିବେ। ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। କୋଭିଡ୍‌ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲାପାଳ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ ମନୋଜ ପାଢୀ, ଏଡିଏମ ଭୁବନେଶ୍ୱର ପ୍ରଫୁଲ୍ଲ ସ୍ବାଇଁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।