ଭାଇର ସୁରକ୍ଷା ପାଇଁ ‘କୋଭିଡ୍‌ ରାଖୀ’

କରୋନା ମହାମାରୀ ଯୋଗୁ ପୂଜା, ପର୍ବପର୍ବାଣିରେ କଟକଣାର ଟ୍ୟାଗ୍‌ ଝୁଲୁଛି। ଉତ୍ସବ ପାଳିବାକୁ ବି ସୁଯୋଗ ମିଳୁନି। ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗକୁ ଆସୁଥିବା ରାଖୀ ପୂର୍ଣ୍ଣିମା ପାଇଁ କଟକର ଜଣେ ଯୁବକ ଭିନ୍ନ ଧରଣର ପ୍ରୟାସ କରି ଚର୍ଚ୍ଚାକୁ ଆସିଛନ୍ତି। ଚାଉଳିଆଗଞ୍ଜ ଥଟାରିସାହିର ୨୮ ବର୍ଷୀୟ ଈଶ୍ୱର ସାହୁ କୋଭିଡ୍‌ ରାଖୀ ପ୍ରସ୍ତୁତ କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ଛତିଶଗଡ଼, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁରୁ ଏହାର ଅର୍ଡର ଆସିଲାଣି।

କଟକ ଅଫିସ,୨୯ା୭: ସମୟ ଥିଲା ବଜାରରେ ରାଖୀ ଥାଏ, ମାତ୍ର ଭାଇ ରାଜ୍ୟ ବାହାରେ କିମ୍ବା ବିଦେଶରେ ଥାଆନ୍ତି। ତାଙ୍କ ହାତରେ ରାଖୀ ବାନ୍ଧିବାର ସୁଯୋଗ ମିଳେନି। ଏବେ ଭାଇ ନିଜ ପାଖରେ ଅଛନ୍ତି, ମାତ୍ର ରାଖୀ ବଜାର ଏଯାଏ ଖୋଲିନି। ଏଥିପାଇଁ ଅନ୍‌ଲାଇନ୍‌ ହିଁ ବିକଳ୍ପ ପାଲଟିଛି। କରୋନାକୁ ଦୃଷ୍ଟିକୁ ରଖି ଈଶ୍ୱର ପ୍ରସ୍ତୁତ କରିଥିବା ରାଖୀ ପ୍ୟାକେଟ୍‌ର ନାଁ ଦେଇଛନ୍ତି ‘କୋଭିଡ୍‌ ରାଖୀ’, ଯାହା ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ବିକ୍ରି ହେଉଛି।
ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ଦିଏ ଭାଇ। ସେଲାଗି ଏହି ପର୍ବ। ହେଲେ ଭାଇକୁ କରୋନାରୁ ରକ୍ଷା କରିବା ପାଇଁ ଭଉଣୀ ଏବେ ପ୍ରତିଶ୍ରୁତିବଦ୍ଧ। ଏଭଳି ଭିନ୍ନ ଚିନ୍ତାଧାରା ମାଧ୍ୟମରେ ରାଖୀ ବିକୁଛନ୍ତି ଈଶ୍ୱର। ସେ ଜଣେ ଗ୍ରାଫିକ୍ସ ଡିଜାଇନର। ସିନେମା, ସିରିଏଲ କିମ୍ବା ବିଜ୍ଞାପନ ଆଦିର ପୋଷ୍ଟର ତିଆରି କରନ୍ତି। ଲକ୍‌ଡାଉନ ଯୋଗୁ ତାଙ୍କ ରୋଜଗାରର ମାଧ୍ୟମ ବନ୍ଦ ହୋଇଛି। ତେଣୁ ପ୍ରଥମେ ଥ୍ରୀ-ଡି ମାସ୍କ ତିଆରି କରି ବିକିବା ପରେ ଏବେ ରାଖୀ ପ୍ରସ୍ତୁତ କରି ୩ଟି ଭିନ୍ନ ସ୍କିମ୍‌ରେ ବିକୁଛନ୍ତି। ଯାହା ସବୁଠାରୁ ଅଧିକ ବିକ୍ରି ହେଉଛି, ତାହା ହେଲା କୋଭିଡ୍‌ ରାଖୀ। ଏଥିରେ ଭାଇ-ଭଉଣୀଙ୍କ ଫଟୋ ଥିବା ଏକ ରାଖୀ, ଗୋଟିଏ ଲେଖାଏ ମାସ୍କ, ସାନିଟାଇଜର, ଚାଉଳ ବୋତଲ, ସିନ୍ଦୂର ବୋତଲ, ଚକୋଲେଟ ଓ ଗୋଟିଏ କ୍ୟୁ ଆର୍‌ କୋଡ୍‌ ଚାବି ରିଙ୍ଗ ରହୁଛି। ଏହି ପ୍ୟାକେଟ୍‌ର ମୂଲ୍ୟ ୨୭୦ ଟଙ୍କା। ଟୁ ଇନ୍‌ ୱାନ୍‌ ସ୍କିମ୍‌ରେ ଗୋଟିଏ ରାଖୀ ଓ ଗୋଟିଏ ମାସ୍କ ରହୁଛି, ଯାହାର ଦାମ୍‌ ୯୦ ଟଙ୍କା। କେବଳ ଭାଇ-ଭଉଣୀଙ୍କ ଫଟୋ ଥିବା ରାଖୀକୁ ସେ ୬୦ ଟଙ୍କାରେ ବିକୁଛନ୍ତି। ବେଙ୍ଗାଲୁରୁ ଓ ଛତିଶଗଡ଼ରୁ ସର୍ବାଧିକ ଅର୍ଡର ଆସିଛି। ସହର ଭିତରୁ ମିଳୁଥିବା ଅର୍ଡରକୁ ବିନା ଅଧିକ ଦେୟରେ ହୋମ୍‌ ଡେଲିଭରି କରାଯାଉଛି। ଏବେ ସୁଦ୍ଧା କେବଳ କୋଭିଡ୍‌ ରାଖୀ ୫୦୦ରୁ ଅଧିକ ବିକ୍ରି ସରିଲାଣି। ଏହି କାର୍ଯ୍ୟରେ ମୁକେଶ ମଲ୍ଲିକ ଓ ଶେଷଦେବ ସାହୁ ତାଙ୍କୁ ସହଯୋଗ କରୁଛନ୍ତି ବୋଲି ଈଶ୍ୱର କହିଛନ୍ତି।