କୋଭିଡ୍‌ ଡେଡ୍‌ଲାଇନ ମାର୍ଚ୍ଚ ୧୧

ନୂଆଦିଲ୍ଲୀ, ୨୦ା୧: ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍‌ନା କରୁଥିବାବେଳେ ଦୈନିକ ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା କେସ୍‌ ଶୀର୍ଷରେ ପହଞ୍ଚିବା ପରେ ଏହି ସଂଖ୍ୟା ଏବେ କମୁଥିବା ଦେଖାଯାଇଛି। ଯଦି ଏହା ଭିତରେ କୌଣସି ନୂଆ ଭାରିଆଣ୍ଟ ନ ଆସେ ଏବଂ ଲୋକେ ସତର୍କତା ଅବଲମ୍ବନ ଜାରି ରଖନ୍ତି ତେବେ ଆସନ୍ତା ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ୍‌ ସଂକ୍ରମଣ ସଂଖ୍ୟା ବହୁମାତ୍ରାରେ କମିଯିବ। ଯଦି ଓମିକ୍ରନ୍‌ ଭାରିଆଣ୍ଟ ସମ୍ପୂର୍ଣ୍ଣ ଭାବେ ଡେଲ୍ଟା ସ୍ଥାନକୁ ଅକ୍ତିଆର କରିନିଏ ତେବେ କରୋନାର ଅନ୍ତ (ଏଣ୍ଡେମିକ୍‌) ଆରମ୍ଭ ହୋଇଯିବ ବୋଲି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ମହାମାରୀ ବା ଏପିଡେମିଓଲୋଜିକାଲ ଡିପାର୍ଟମେଣ୍ଟର ମୁଖ୍ୟ ସମୀରନ୍‌ ପଣ୍ଡା ଦାବି କରିଛନ୍ତି।
ଉପରେ ହୋଇଥିବା ଗାଣିତିକ ପ୍ରୋଜେକସନ ଅନୁସାରେ ଡିସେମ୍ବର ୧୧ରୁ ଆରମ୍ଭ ହୋଇଥିବା ଓମିକ୍ରନ୍‌ ଲହର ୩ ମାସ ପର୍ଯ୍ୟନ୍ତ ରହିବ। ମାର୍ଚ୍ଚ ୧୧ ପରଠାରୁ ସଂକ୍ରମଣ ହାର ଯଥେଷ୍ଟ କମ୍‌ ରହିବ। ତେବେ ଏ ଦିଗରେ ଅଧିକ ନିଶ୍ଚିତ ହେବା ପୂର୍ବରୁ ଆମକୁ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କୋଭିଡ୍‌ କେସ୍‌ ଉପରେ ନଜର ରଖିବାକୁ ପଡ଼ିବ। କାରଣ ଏବେ ମଧ୍ୟ ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ମାମଲା ଆଖିଦୃଶିଆ ଭାବେ କମିନାହିଁ ବୋଲି ସମୀରନ୍‌ ପଣ୍ଡା କହିଛନ୍ତି। ଏହା ବ୍ୟତୀତ ବିଭିନ୍ନ ରାଜ୍ୟଗୁଡ଼ିକରେ ମଧ୍ୟ କରୋନା ସ୍ଥିତି ଭିନ୍ନ ରହିଛି। ସେହିପରି ମନ୍‌ଲୁପିରାଭିର୍‌ର ବ୍ୟବହାରକୁ ନେଇ ଡିସିଜିଆଇ ଏବଂ ଆଇସିଏମ୍‌ଆର୍‌ ମଧ୍ୟରେ ମତ ପାର୍ଥକ୍ୟ ଚର୍ଚ୍ଚା ଉପରେ ସେ କହିଛନ୍ତି, ଟିକା ନେଇ ନ ଥିବା ସଂକ୍ରମିତଙ୍କୁ ଏହି ଔଷଧ ଦିଆଯାଇପାରିବ। କିନ୍ତୁ ଜଣେ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ଶିଶୁଙ୍କୁ ମନ୍‌ଲୁପିରାଭିର ଦିଆଯିବା ନେଇ କୌଣସି ଗାଇଡ୍‌ଲାଇନ ନାହିଁ। ତେଣୁ ତାହା ପ୍ରୋଟୋକଲ ମଧ୍ୟରେ ଆସୁନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Share