Categories: ଜାତୀୟ

ଅକ୍ଟୋବରରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୨୫।୮: ଅକ୍ଟୋବର ପ୍ରଥମ ସପ୍ତାହରୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ କୋଭିଡ୍‌ ଟିକା ଦିଆଯାଇପାରେ। ଟିକାଦାନରେ ଗୁରୁତର ରୋଗାକ୍ରାନ୍ତ ପିଲାଙ୍କୁ ପ୍ରାଥମିକତା ଦିଆଯିବ। ଦେଶରେ ୧୨ରୁ ୧୭ ବର୍ଷ ବୟସ ବର୍ଗରେ ୧୨ କୋଟି ପିଲା ଅଛନ୍ତି। ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ସ୍କୁଲ୍‌ ଖୋଲାଯିବା ଆବଶ୍ୟକ ବୋଲି କୋଭିଡ୍‌ ଓ୍ବାର୍କିଂ ଗ୍ରୁପ୍‌ କହିଛି। ଅନ୍ୟପକ୍ଷେ ସ୍କୁଲ ଶିକ୍ଷକମାନଙ୍କୁ ପ୍ରାଥମିକତା ଆଧାରରେ ଟିକା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଟିକା ନେବା ଦରକାର ବୋଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି।

କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କେତେକ ରାଜ୍ୟରେ ସ୍କୁଲ୍‌ ଖୋଲିଲାଣି। ତେବେ ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇ ନ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ ଟିକା ଦେବା ଲାଗି ରାଜ୍ୟଗୁଡ଼ିକୁ ଚଳିତ ମାସରେ ଅତିରିକ୍ତ ୨ କୋଟି ଡୋଜ୍‌ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମଣ୍ଡବ୍ୟ ବୁଧବାର କହିଛନ୍ତି।

Share