ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ସ୍ଥିର କରାଯାଇଛି କରୋନା ଟିକାକରଣ ତାରିଖ

ନୂଆଦିଲ୍ଲୀ,୧୦ ।୧: କରୋନା ମହାମାରୀକୁ ଦୂରେଇ ଦେବାଲାଗି ଅପେକ୍ଷା ଥିବା ଟିକାକରଣ ସମୟର ଅନ୍ତ ଘଟିଛି । ସରକାର ୧୬ ଜାନୁୟାରୀ ସାରା ଦେଶରେ ଟିକାକରଣ ଆରମ୍ଭ କରିବେ ବୋଲି କହିଛନ୍ତି । ତେବେ ବହୁ ଚିନ୍ତା ପରେ କୁଆଡେ ସରକାର ୧୬ ଜାନୁୟାରୀକୁ ତାରିଖ ନିର୍ଦ୍ଧାଣ କରିଛନ୍ତି । କୁହାଯାଉଛି ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଏହି ତାରିଖକୁ ବଛାଯାଇଛି । ଏହି ସମୟ ମଧ୍ୟରେ ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ ମାଘ ବିହୁ ଭଳି ପର୍ବ ଥିବାରୁ ଏହା ସରିବା ପରେ ଟିକାକରଣ କରାଯିବ ବୋଲି ସ୍ଥିର କରାଯାଇଥିବା ଅନୁମାନ କରାଯାଉଛି । ୧୫ ଜାନୁୟାରୀ ମଧ୍ୟରେ ଏସବୁ ପର୍ବ ପଡୁଛି । ସୂଚନାଯୋଗ୍ୟ, ଟିକାକରଣ ପାଇଁ ଏପର୍ଯ୍ୟନ୍ତ ୨ଥର ଡ୍ରାଏରନ୍ ସରିଲାଣି । ତେବେ ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ମେଡିକାଲ ଷ୍ଟାଫ୍‌, ଅନ୍ୟ ହେଲଥ ୱାର୍କରଙ୍କୁ ଭ୍ୟାକ୍ସିନ ଦିଆଯିବ । ଏହାପରେ ଫ୍ରଣ୍ଟଲାଇନ୍ ୱାର୍କସଙ୍କ ନମ୍ବର ଆସିବ । ଏମାନଙ୍କ ଡାଟା ସରକାରଙ୍କ ପାଖରେ ରହିଛି । ଏଥିପାଇଁ ଏମାନଙ୍କୁ ରେଜିଷ୍ଟ୍ରଶନର ଆବଶ୍ୟକତା ନାହିଁ । ଏହାପରେ ୫୦ ବର୍ଷରୁ ଅଧିକ ତଥା ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ନମ୍ବର ଆସିବ ବୋଲି ସରକାର କହିଛନ୍ତି । ଏମାନଙ୍କୁ ରେଜିଷ୍ଟ୍ରେଶନ କରିବାକୁ ପଡିବ । ତେବେ ରେଜିଷ୍ଟ୍ରେଶନ ପାଇଁ ସରକାରଙ୍କ ପକ୍ଷରୁ ଏକ ଆପ୍ ଲଞ୍ଚ କରାଯିବା ପରେ ସେହି ଆପ୍ ମାଧ୍ୟମରେ ହିଁ ବରିଷ୍ଠ ନାଗରିକ ଓ ପରେ ପରେ ସାଧାରଣ ଜନତା ଟିକା ନେବା ଲାଗି ନାମ ରେଜିଷ୍ଟ୍ରେଶନ କରିବେ ।

Share