ଚର୍ଚ୍ଚର ଭୁଲ ଯୋଗୁ ସାରା ଦେଶରେ କରୋନା ବ୍ୟାପିବାର ଆଶଙ୍କା !

ସିଓଲ,୨୫।୮: କରୋନା ଭାଇରସ ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବାରୁ ଦକ୍ଷିଣ କୋରିଆରେ ରେଡ ଆଲର୍ଟ ଜାରି କରାଯାଇଛି। ଏବେ ଦକ୍ଷିଣ କୋରିଆର ଅଧିକାରୀଙ୍କ ସୂଚନା ମୁତାବକ ଦକ୍ଷିଣ କୋରିଆରେ ପୁଣିଥରେ କରୋନା ବ୍ୟାପିବାର ଆଶଙ୍କା କରାଯାଉଛି। ଗୋଟିଏ ଚର୍ଚ୍ଚରେ ଆରମ୍ଭ ହୋଇଥିବା ସଂକ୍ରମଣ ପ୍ରଥମଥର ଲାଗି ଦକ୍ଷିଣ କୋରିଆର ସମସ୍ତ ୧୭ଟି ଅଞ୍ଚଳରେ ବ୍ୟାପି ସାରିଲାଣି। ଏଠାରେ ଚର୍ଚ୍ଚରୁ ବ୍ୟାପିଥିବା ସଂକ୍ରମିତଙ୍କ ସଂଖ୍ୟା ୩୧୯ରେ ପହଞ୍ଚି ସାରିଲାଣି। ଏହି ସୂଚନା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ମୁଖ୍ୟାଳୟରୁ ମିଳିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ କରୋନା ସହ ଲଢିବା ଦେଶମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆକୁ ଏକ ମଡେଲ ଭାବେ ନିଆଯାଉଥିଲା। ଅଧିକ ସଂକ୍ରମଣ ରାଜଧାନୀ ସିଓଲରେ ଦେଖାଯାଇଥିବା ବେଳେ ଏବେ କୁହାଯାଉଛି କି କରୋନା ସଂକ୍ରମଣ ଉଦ୍ଦେଶ୍ୟରେ ପଜିଟିଭ ଥିବା ଲୋକଙ୍କୁ ଜାଣିଶୁଣି ସେଠାକୁ ପଠାଯାଇଥିଲା। ଉଦ୍ଦେଶ୍ୟ ହେଉଛି ଚର୍ଚ୍ଚକୁ ବନ୍ଦ କରିବା। ଏମାନଙ୍କ ମଧ୍ୟରୁ କେତେଜଣ ଲୁଚି ଅନ୍ୟତ୍ର ଚାଲିଯାଇଥିବା କୁହାଯାଉଛି। ତେବେ ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ଯୁବକ ଥିବା ଜଣାପଡିଛି। ଚର୍ଚ୍ଚର ମୁଖ୍ୟ ପାଦ୍ରି ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଉକ୍ତ ଚର୍ଚ୍ଚରେ ଆୟୋଜିତ ସରକାରୀ ବିରୋଧି ରାଲିରେ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଛି।

Share