ଫେରିବ କରୋନା କଟକଣା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କରୋନାର ସାମ୍ଭାବ୍ୟ ପରିସ୍ଥିତି ଏବଂ ତୃତୀୟ ଲହରକୁ ନଜରରେ ରଖି ସରକାର ପୁଣି ତତ୍ପରତା ଦେଖାଇଛନ୍ତି। ଏଣିକି ପୂର୍ବଭଳି କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ସବୁ ଜିଲାପାଳ, ଏସ୍‌ପି ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କହିଛନ୍ତି।

ମୁଖ୍ୟ ଶାସନ ସଚିବ କହିଥିଲେ, ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବାକୁ ଅଧିକ ସତର୍କ ଓ କ୍ରିୟାଶୀଳ ହେବାକୁ ପଡ଼ିବ। ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନଓ୍ବାଡ଼ି କର୍ମୀ, ଗ୍ରାମ ଓ ପଞ୍ଚାୟତସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଅଞ୍ଚଳର ବାସ୍ତବ ସ୍ଥିତିର ସଠିକ୍‌ ସୂଚନା ସଂଗ୍ରହ କରିବାର ଆବଶ୍ୟକତା ରହିଛି। ଏହାସହ କୌଣସି ସ୍ଥାନରେ କୋଭିଡ୍‌ ସଂକ୍ରମଣ ଜଣାପଡ଼ିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ଘରକୁ ଘର ଅଭିଯାନ ଯୋଗେ କୋଭିଡ୍‌ ଟିକାକରଣକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।