ଏହି ରାଜ୍ୟକୁ ଆସିଲେ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ

ଡେରାଡୁନ,୧୨।୭: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଉ କେତେକ ରାଜ୍ୟରେ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗତ କିଛି ଦିନରୁ ଉତ୍ତରାଖଣ୍ଡରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ସରକାର କିନ୍ତୁ କଟକଣା କୋହଳ କରିବାକୁ ଚାହୁଁନାହାନ୍ତି। ଇତିମଧ୍ୟରେ ଉତ୍ତରାଖଣ୍ଡକୁ ଅନ୍ୟ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କରୋନା ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ତେବେ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ଉତ୍ତରାଖଣ୍ଡକୁ ଆସିଲେ ଆରଟିପିସିଆର, ଆଣ୍ଟିଜେନ କିମ୍ବା ରାପିଡ ଟେଷ୍ଟର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ରହିବ। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ସୀମାରେ ପର୍ଯ୍ୟଟକଙ୍କ କରୋନା ନେଗେଟିଭ୍‌ ରିପୋର୍ଟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଯଦି କୌଣସି ପର୍ଯ୍ୟଟକ ବିନା ରିପୋର୍ଟରେ ଉତ୍ତରାଖଣ୍ଡକୁ ଆସନ୍ତି ତେବେ ସେମାନଙ୍କୁ ଫେରାଇ ଦିଆଯିବ ବୋଲି ଡିଆଇଜି ନିଲେଶ ଆନନ୍ଦ ଭରନେ ସୂଚନା ଦେଇଛନ୍ତି। ଏଥିସହ ସ୍ମାର୍ଟ ସିଟି ପୋର୍ଟାଲରେ ପଞ୍ଜିକରଣ ଓ ହୋଟେଲ ବୁକିଂ ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ସାଙ୍ଗରେ ଥିଲେ ହିଁ ରାଜ୍ୟରେ ପ୍ରବଶ କରିବାକୁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ବୋଲି ନିଲେଶ ଆନନ୍ଦ କହିଛନ୍ତି। ସୂଚନା ମୁତାବକ ନିକଟରେ ହରିଦ୍ୱାରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଯୋଗୁ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

Share