ଆଇସୋଲେଶନ ଓ୍ବାର୍ଡରେ ମଦ ପିଇଲେ କରୋନା ଆକ୍ରାନ୍ତ

ଗୋପାଳଗଞ୍ଜ, ୧୨।୭- ଭାରତରେ କରୋନା ଭାଇରସ୍‌ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏଭଳି ଏକ ବିପର୍ଯ୍ୟୟ ସମୟରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଆଇସୋଲେଶନ ଓ୍ବାର୍ଡରେ ମଦ ପିଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ବିହାରର ଗୋପାଳଗଞ୍ଜ ଅଞ୍ଚଳରେ ଘଟିଛି। ଆଇସୋଲେଶନ ଓ୍ବାର୍ଡରେ ମଦ ପିଇବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ପ୍ରଥମଥର ଘଟିଛି ବୋଲି କୁହାଯାଉଛି। ମାଞ୍ଜାଘର ପୋଲିସ ଷ୍ଟେସନ ଅନ୍ତର୍ଗତ ସିଦ୍ଧଓ୍ବାଲିଆ ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ସେ ଖଟ ଉପରେ ବସି ମଦ୍ୟପାନ କରୁଥିବାରୁ ଭିଡିଓ ଭାଇରାଲ ହୋଇଛି। ଗୋପାଳଗଞ୍ଜ ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ଘଟଣାକୁ ସ୍ବୀକାର କରିଛନ୍ତି।