Categories: ଜାତୀୟ

Jn.1 Variant: ରୋଗ ପ୍ରତିଶୋଧକ ଶକ୍ତି ଥିଲେ ବି ସଂକ୍ରମିତ କରୁଛି ନୂଆ ଭ୍ୟାରିଆଣ୍ଟ,ଏହି ୫ ଲକ୍ଷଣ ଦେଖିଲେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୨।୧୨: ପୁଣି ଫେରିଛି କରୋନା। ଜେଏନ୍‌.୧ କୋଭିଡ-୧୯ ଭ୍ୟାରିଆଣ୍ଟ ଦେଶ ତଥା ବିଦେଶରେ ବ୍ୟାପିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଭାରତରେ ଗୁରୁବାର ୫୯୪ ନୂଆ କରୋନା-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୧୧ରୁ ବୃଦ୍ଧି ପାଇ ୧୬୯୯ ହୋଇଛି। ଆଗାମୀ ଦିନରେ ଏହା ବଢ଼ିବ ବୋଲି ଅନୁମାନ କରାଯାଉଛି।
ଜେଏନ୍‌. ୧ ଓମିକ୍ରନ୍‌ର ସବ୍‌ ଭ୍ୟାରିଆଣ୍ଟ ବିଏ.୨.୮୬ରୁ ନିର୍ମିତ ହୋଇଛି। ୨୦୨୨ ଆରମ୍ଭରୁ ବିଏ.୨.୮୬ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଆକ୍ରାନ୍ତ କରି ମୃତ୍ୟୁମୁଖରେ ପକାଇଥିଲା। ଏହା ଉପରେ ଅଧ୍ୟୟନ ଜାରି ରହିଥିବା ଡବ୍ଲୁଏଚ୍‌ଓ କହିଥିବା ବେଳେ ଭାଇରସ୍‌ଟି ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରୁଥିବା କହିଛି। ତେବେ ଶୀତ ପଡ଼ୁଥିବାରୁ ସାବଧାନ ରହିବା ଉଚିତ ବୋଲି କୁହାଯାଇଛି।
ଲକ୍ଷଣ:
କରୋନା ସଂକ୍ରମଣର ଲକ୍ଷଣ ପ୍ରାୟ ସମସ୍ତ ଭ୍ୟାରିଆଣ୍ଟ ମଧ୍ୟରେ ସମାନ ରହିଛି। ସିଡିସି ମୁତାବକ ଜେଏନ୍‌.୧ରେ ପୀଡ଼ିତ ହୋଇଥିବା ରୋଗୀଙ୍କଠାରେ ଜ୍ୱର, ଥଣ୍ଡା, କାଶ, ତଣ୍ଟି ଦରଜ, ମୁଣ୍ଡବିନ୍ଧା, ବାନ୍ତି, ଅତ୍ୟଧିକ ଥଣ୍ଡା ଅନୁଭୂତ ହେବା ଏବଂ ପତଳା ଝାଡ଼ା ଆଦି ଲକ୍ଷଣ ରହିଛି।
କ’ଣ କରିବେ?
କରୋନା ମାମଲା ବଢ଼ୁଥିବାରୁ ଭିଡ଼ ସ୍ଥାନରେ ମାସ୍କ ପରିଧାନ କରନ୍ତୁ। କାଶିବା ନଚେତ ଛିଙ୍କିବା ସମୟରେ ମୁହଁ ଏବଂ ନାକକୁ ଘୋଡ଼ାଇ ନିଅନ୍ତୁ। ହାତକୁ ଭଲ ଭାବେ ଧୁଅନ୍ତୁ। ଏହାଛଡ଼ା ଯଦି ଟିକା ଲଗାଇ ନାହାନ୍ତି ତେବେ ଲଗାଇ ନିଅନ୍ତୁ।
Share