କରୋନା ଭାଇରସ କେତେ ଭୟଙ୍କର ତାହା ଏବେ ଟ୍ରମ୍ପ ବୁଝିଯିବା ଉଚିତ: ବେଡେନ

ୱାଶିଂଟନ,୩ ।୧୦: ଠିକ୍ ରାଷ୍ଟପତି ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିପକ୍ଷରେ ଲଢୁଥିବା ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥି ଜୋ ବେଡେନ ପୁଣିଥରେ ଟ୍ରମ୍ପଙ୍କୁ ସଚେତନ କରାଇଛନ୍ତି । ସେ କହିଛନ୍ତି ଟ୍ରମ୍ପଙ୍କୁ କରୋନା ପୁଣିଥରେ ମନେପକାଇ ଦେଇଛି ଏହା କେତେ ଭୟଙ୍କର । ଏହାସହ ଆମେରିକାବାସୀଙ୍କୁ ବେଡେନ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସୋସିଆଲ ଡିଷ୍ଟାନସିଂକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ବେଡେନ କହିଛନ୍ତି ଆମେରିକାର ଫାଷ୍ଟ ଲେଡି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ମୁଁ ଓ ମୋର ସହଦର୍ମିଣୀ ପ୍ରାର୍ଥନା କରୁଛି ସେମାନେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ । ଏହା ରାଜନୀତିର ମାମଲା ନୁହେଁ । ଏହାଆମକୁ ପୁଣିଥରେ ମନେପକାଇ ଦେଇଛି ଯେ ଏହି ଭାଇରସକୁ ଆମେ ଏତେ ହାଲୁକା ଭାବେ ନେବା ଠିକ୍ ନୁହେଁ । ଏହା ଥରେ ସଂକ୍ରମଣ ହେଲେ ଆପଣାଛାଏଁ ଚାଲି ଯିବନି ବରଂ ଏଥିପାଇଁ ଆମକୁ କେତେ ଗୁଡିଏ ନିୟମ ପାଳନ କରିବାକୁ ପଡିବ । ବେଡେନଙ୍କ ମତରେ ଯଦି ଆମେ ଠିକ୍ ଭାବେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେବା ତେବେ ହୁଏତ ୧୦୦ ଦିନ ମଧ୍ୟରେ ୧ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ପାରିବା । ମାସ୍କ କେବଳ ପିନ୍ଧିଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାଏ ତା’ ନୁହେଁ ଏହା ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣରେ ଏବେ ପର୍ଯ୍ୟନ୍ତ ଆମେରିକାରେ ପାଖାପାଖି ୨ଲକ୍ଷ ୭ ହଜାର ଲୋକଙ୍କ ମୃତ୍ୟୁ ହେଲାଣି ।

Share