Categories: ଜାତୀୟ

ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ

ନୂଆଦିଲ୍ଲୀ,୫।୧: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଦେଶରେ ପ୍ରଥମ ଜୀବନ ନେଇଛି। ରାଜସ୍ଥାନର ଉଦୟପୁରରେ ଓମିକ୍ରନ ଷ୍ଟ୍ରେନ କାରଣରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବୁଧବାର ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।

ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି, ରାଜସ୍ଥାନରେ ଓମିକ୍ରନ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସରକାର ସ୍ପଷ୍ଟ କରିଛନ୍ତି। ଏହାକୁ ଆମେ ଭାରତରେ ପ୍ରଥମ ଓମିକ୍ରନ ଜନିତ ମୃତ୍ୟୁ କହିପାରିବା।

ସରକାରୀ ସୂତ୍ରରୁ ଜଣାପଡ଼ିଛି, ମୃତକ ୧୭ ବର୍ଷ ହେଲା ଡାଏବେଟିସ ରୋଗରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ପରେ ସେ ଓମିକ୍ରନରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଉକ୍ତ ବ୍ୟକ୍ତି ଗତ ୩୧ ତାରିଖରେ ଉଦୟପୁର ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଉଲ୍ଲେଖଯୋଗ୍ୟ, ଭାରତରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୨,୧୩୫ରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୮୨୮ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share