Categories: ଜାତୀୟ

‘ସୋସିଆଲ୍‌ ମିଡିଆ ଉପରେ ଅଙ୍କୁଶ ଲାଗିବା ଜରୁରୀ’

ନୂଆଦିଲ୍ଲୀ,୩।୭: ଭାଜପାର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ରବିବାର ଆଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି। କୋର୍ଟଙ୍କ ସମାଲୋଚନା ଗ୍ରହଣୀୟ। କିନ୍ତୁ ବିଚାରପତିମାନେ ବ୍ୟକ୍ତିଗତ ଆକ୍ରମଣର ଶିକାର ହେବା ଉଚିତ୍‌ ନୁହେଁ। ଏହା ଠିକ ମଧ୍ୟ ନୁହେଁ। ଅଦାଲତର ନିଷ୍ପତ୍ତି ବହୁମତ ବିଚାରର ଅନୁରୂପ ହେବା ଆବଶ୍ୟକ ନୁହେଁ ବୋଲି ପର୍ଦ୍ଦିଓ୍ବାଲା କହିଛନ୍ତି। ସମ୍ବେଦନଶୀଳ ପ୍ରସଙ୍ଗରେ ସାମାଜିକ ତଥା ଡିଜିଟାଲ ମିଡିଆର ଭୂମିକା ଉପରେ ପର୍ଦ୍ଦିୱାଲା ପ୍ରଶ୍ନ କରିଛନ୍ତି।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଚଆର ଖାନ୍ନାଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜଷ୍ଟିସ ପର୍ଦ୍ଦିୱାଲା କହିଛନ୍ତି ଯେ, ଗଣତନ୍ତ୍ରରେ ଆମେ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଯିବୁ। ଏକ ମାମଲାର ଶୁଣାଣି ବେଳେ ବିଚାରପତିମାନେ ସମାଜର ବିଚାରକୁ ମଧ୍ୟ ଧ୍ୟାନରେ ରଖିଥାନ୍ତି। କିନ୍ତୁ ସେମାନେ ଏହା ଦ୍ୱାରା ପ୍ରଭାବିତ ହୋଇପାରିବେ ନାହିଁ। ସେମାନେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି।
ସୋସିଆଲ ଏବଂ ଡିଜିଟାଲ ମିଡିଆର ଅପବ୍ୟବହାରକୁ ନେଇ ଜଷ୍ଟିସ ପର୍ଦ୍ଦିୱାଲା ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ଆଜିର ସମୟରେ ସୋସିଆଲ ଏବଂ ଡିଜିଟାଲ ମିଡିଆ ବହୁତ ଶକ୍ତିଶାଳୀ ମାଧ୍ୟମ। କିନ୍ତୁ ସୋସିଆଲ ମିଡିଆରେ ଅର୍ଦ୍ଧ ସତ୍ୟ ଓ ଅର୍ଦ୍ଧ ତଥ୍ୟକୁ ନେଇ ହେଉଥିବା ତର୍କ ବିତର୍କ ଗଣତନ୍ତ୍ର ପାଇଁ ବିପଦ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭାଜପାର ନିଲମ୍ବିତ ନେତା ନୁପୁର ଶର୍ମାଙ୍କ ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ଆଜିକାଲି ସୋସିଆଲ ମିଡିଆରେ ଅନେକ ଆଲୋଚନା ଚାଲିଛି। ଜଷ୍ଟିସ ପର୍ଦ୍ଦିଓ୍ବାଲା ଏହି ମାମଲାର ଶୁଣାଣି କରୁଥିବା ବେଞ୍ଚର ଜଣେ ସଦସ୍ୟ ଥିଲେ।

Share