Categories: ଜାତୀୟ

ଅଭିନେତ୍ରୀ ଜିଆଙ୍କ ମୃତ୍ୟୁ ମାମଲାରେ ଅଧିକ ତଦନ୍ତ ଦରକାର ନାହିଁ

ମୁମ୍ବାଇ,୧୭।୯: ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନଙ୍କ ଆତ୍ମହତ୍ୟା ମାମଲାରେ ଅଧିକ ତଦନ୍ତ ପାଇଁ ଦାଖଲ ହୋଇଥିବା ଆବେଦନକୁ ଗୁରୁବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରି ଦେଇଛନ୍ତି। ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଛି। କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଓ ଜିଆଙ୍କ ମା’ ରବିୟା ଖାନ ଏହି ଆବେଦନ କରିଥିଲେ।

ଏହି ମାମଲାରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ପାଇଁ ଅଭିନେତା ସୁରଜ ପାଞ୍ଚୋଲିଙ୍କୁ ଗିରଫ କରାଯାଇଥିଲା। ସେ ଏବେ ଜାମିନରେ ବାହାରେ ଅଛନ୍ତି।

ନିଜକୁ ଫାଶି ଦେବା ପାଇଁ ଜିଆ ବ୍ୟବହାର କରିଥିବା ଦୁପଟାକୁ ଚଣ୍ଡିଗଡ଼ସ୍ଥିତ ସେଣ୍ଟ୍ରାଲ ଫରେନ୍ସିକ ଲାବୋରେଟୋରିକୁ ପଠାଇବା ପାଇଁ ସିବିଆଇ କୋର୍ଟଙ୍କୁ ଅନୁମତି ମାଗିଥିଲା। ଜିଆ ଓ ପାଞ୍ଚୋଲିଙ୍କ ଫୋନରୁ ଡିଲିଟ୍‌ କରାଯାଇଥିବା ଚାଟ୍‌କୁ ରିଟ୍ରାଇଭ କରିବା ପାଇଁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେଶନ (ଏଫ୍‌ବିଆଇ)କୁ ପଠାଯିବାର ଆବଶ୍ୟକତା ଅଛି। ଏଣୁ ସେମାନଙ୍କ ଫୋନ ଦରକାର ଥିବା ସିବିଆଇ ପକ୍ଷରୁ କୋର୍ଟରେ କୁହାଯାଇଥିଲା। ତେବେ ସିବିଆଇର ଆବେଦନକୁ ବିରୋଧ କରିଥିଲେ ପାଞ୍ଚୋଲିଙ୍କ ଓକିଲ ପ୍ରଶାନ୍ତ ପାଟିଲ। ଏ ସମ୍ପର୍କରେ ହାଇ କୋର୍ଟ ଓ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ ଫିଲ୍ମ ‘ନିଶବ୍ଦ’ ଓ ‘ଘଜନୀ’ ପାଇଁ ଜଣାଶୁଣା ଜିଆଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାସଭବନରେ ୨୦୧୩ ଜୁନ ୩ ତାରିଖରେ ମିଳିଥିଲା। ୩ ପେଜ ବିଶିଷ୍ଟ ସୁଇସାଇଡ୍‌ ନୋଟରେ ଜିଆ ଉଲ୍ଲେଖ କରିଥିଲେ ଯେ, ସୁରଜଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କ ଥିଲା। ସୁରଜ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାରୁ ସେ ଚରମ ନିଷ୍ପତ୍ତି ନେଉଛନ୍ତି।

Share