ଏହି କାରଣ ପାଇଁ ପ୍ରଥମ ସ୍ତ୍ରୀଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ସ୍ବାମୀ

ବେଜିଂ,୨୫।୨: ଚାଇନା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୭୭୦୦ ଡଲାର ଅର୍ଥାତ୍‌ ସାଢ଼େ ୫ ଲକ୍ଷ ଟଙ୍କା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। ବେଜିଂ କୋର୍ଟ କହିବା ଅନୁଯାୟୀ, ଗତ ୫ ବର୍ଷ ଘର କାମ ଏବଂ ପିଲାଙ୍କ ପ୍ରତିପୋଷଣ ପାଇଁ ମହିଳାଙ୍କୁ ଉକ୍ତ ରାଶି କ୍ଷତିପୂରଣ ଭାବେ ଦିଆଯିବ। ଚାଇନାରେ ଏହା ହେଉଛି ପ୍ରଥମ ଘଟଣା। ଯାହାକି ଘର କାର୍ଯ୍ୟର ଗୁରୁତ୍ୱ ବିଚାର କରି ଏହି କ୍ଷତିପୂରଣ ଦିଆଯାଉଛି।ଚାଇନାରେ ଏହି ମାମଲା ଭାଇରାଲ ହେବାରେ ଲାଗିଛି।

ଏକ ସାକ୍ଷାତକାରରେ ଜଜ୍‌ ପାଙ୍ଗ୍‌ କହିଛନ୍ତି ଯେ, ଘରୋଇ କାର୍ଯ୍ୟ ଯୋଗୁ ଆପଣ ଅନେକ ସ୍ତରରେ ନିଜକୁ ଉନ୍ନତ କରିପାରିବେ। ଉଦାହରଣ ସ୍ବରୂପ, ଯଦି ଗୋଟିଏ ପରିବାରର ସାଥୀ ଘରକାମରେ ବ୍ୟସ୍ତ ତେବେ ଅନ୍ୟ ବ୍ୟକ୍ତି ସେହି ସମୟକୁ ବ୍ୟବହାର କରି ନିଜର ବ୍ୟକ୍ତିଗତ ଦକ୍ଷତା ବଢ଼ାଇପାରିବେ। ସେହି ସମୟ ପ୍ରୟୋଗ କରି ଅନ୍‌ଲାଇନ ଏଜୁକେଶନ ପ୍ରାପ୍ତ କରିପାରିବେ।

ଉଲ୍ଲେଖନୀୟ କଥା ହେଉଛି, ଚେନ୍‌ ଏବଂ ଓ୍ବଙ୍ଗ୍‌ ୨୦୧୫ରେ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ଅଛି। ଚେନ୍‌ ୨୦୧୮ରେ ଓ୍ବଙ୍ଗ୍‌ଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ସେମାନେ ଏହା ପୂର୍ବରୁ ମଧ୍ୟ ଦୁଇଥର ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ଓ୍ବଙ୍ଗ ଛାଡ଼ପତ୍ର ପାଇଁ ଚାହୁଁ ନ ଥିଲେ। ତେବେ ବେଜିଂ ଜିଲା କୋର୍ଟରେ ଓ୍ବଙ୍ଗ୍‌ କହିଛନ୍ତି ଯେ, ତାଙ୍କୁ ୨୫ ହଜାର ଡଲାର ଦିଆଯାଉ। କୋର୍ଟ ଏହି ମାମଲାର ବିଚାର କରି ଓ୍ବଙ୍ଗ୍‌ଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା ଦେବାକୁ ରାୟ ଶୁଣାଇଛନ୍ତି।

Share