ଦୋଷୀଙ୍କୁ ଦିନରେ ୫ ଥର ନମାଜ ପାଠ କରିବାକୁ ଦଣ୍ଡାଦେଶ କଲେ କୋର୍ଟ…

ମୁମ୍ବାଇ,୧।୩ : ମହାରାଷ୍ଟ୍ରର ନାଶିକ ଜିଲା କୋର୍ଟର ଏକ ନିଆରା ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଜେଲକୁ ପଠାଇବା ପରିବର୍ତ୍ତେ କୋର୍ଟ ଏକ ନିଆରା ଦଣ୍ଡାଦେଶ କରିଛନ୍ତି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୧ ଦିନ ପାଇଁ ପ୍ରତିଦିନ ଦୁଇଟି ଗଛ ଲଗାଇବା ଏବଂ ଦିନକୁ ପାଞ୍ଚଥର ନମାଜ ପାଠ କରିବା ପାଇଁ ଦୋଷୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ଜଣେ ମୁସଲମାନ। ଏହି କାରଣରୁ ତାଙ୍କୁ ଦିନକୁ ପାଞ୍ଚ ଥର ନମାଜ ପାଠ କରିବାକୁ ମଧ୍ୟ କୁହାଯାଇଛି।

ଫେବୃଆରୀ ୨୭ ରେ ପାସ ହୋଇଥିବା ଏକ ଆଦେଶରେ ମାଜିଷ୍ଟ୍ରେଟ ତେଜୱନ୍ତ ସିଂ ସାନ୍ଧୁ ଉଲ୍ଲେଖ କରିଛନ୍ତି ଯେ ପ୍ରୋବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ନିୟମାବଳୀ ଜଣେ ମାଜିଷ୍ଟ୍ରେଟଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଦୋଷୀଙ୍କୁ ଅପରାଧ ନ କରିବା ପାଇଁ ଚେତାବନୀ ଦେବାର କ୍ଷମତା ପ୍ରଦାନ କରିଥାଏ। କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ମାମଲାରେ କେବଳ ଚେତାବନୀ ଯଥେଷ୍ଟ ହେବ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଯେପରି ଏହାର ପୁନରାବୃତ୍ତି ନ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ।

୨୦୧୦ ମସିହାରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଏବଂ ସଡ଼କ ଦୁର୍ଘଟଣା ପରେ ବିବାଦରେ ତାଙ୍କୁ ଗୁରୁତର ଆହତ କରିଥିବା ଅଭିଯୋଗରେ ୩୦ ବର୍ଷିୟ ରଉଫ ଖାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁଣାଣି ସମୟରେ ଖାନ କହିଥିଲେ ଯେ ସେ ନିୟମିତ ଭାବେ ନମାଜ ପାଠ କରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଫେବୃଆରୀ ୨୮ ରୁ ୨୧ ଦିନ ପାଇଁ ଦିନକୁ ପାଞ୍ଚଥର ନମାଜ ପାଠ କରିବା, ସୋନାପୁରା ମସଜିଦ ପରିସରରେ ଦୁଇଟି ଗଛ ଲଗାଇବା ଏବଂ ଗଛର ଯତ୍ନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖାନଙ୍କୁ ଆଇପିସି ଧାରା ୩୨୩ (ସ୍ବେଚ୍ଛାକୃତ ଭାବରେ ଆଘାତ ଦେବା), ୩୨୫(ସ୍ବେଚ୍ଛାକୃତ ଭାବରେ ଗୁରୁତର ଆଘାତ), ୫୦୪(ଶାନ୍ତି ଉଲ୍ଲଂଘନ ପାଇଁ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୫୦୬ (ଅପରାଧିକ ଭୟ) ଅନୁଯାୟୀ ବୁକ କରାଯାଇଥିଲା। କୋର୍ଟ ଆଇପିସିର ଧାରା ୩୨୩ ଅନୁଯାୟୀ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଅନ୍ୟ ଦୋଷରୁ ମୁକ୍ତ କରିଥିଲେ।

Share