ଟରଣ୍ଟୋ/ମୁମ୍ବାଇ: କାନାଡାର ଟରଣ୍ଟୋ ମେଟ୍ରୋପଲିଟାନ ୟୁନିଭର୍ସିଟି (ଟିଏମ୍ୟୁ)ପକ୍ଷରୁ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲ୍ଜିତ ଦୋସାଞ୍ଜଙ୍କ ପାଇଁ ଉତ୍ସର୍ଗୀକୃତ ଏକ ପାଠ୍ୟକ୍ରମର ଘୋଷଣା କରାଯାଇଛି। ପପ୍ ସଂସ୍କୃତି ଉପରେ ଦିଲ୍ଜିତଙ୍କ ବୈଶ୍ୱିକ ପ୍ରଭାବକୁ ଅନୁସନ୍ଧାନ କରିବାକୁ ଥିବା ଏହି ପାଠ୍ୟକ୍ରମ ୨୦୨୬ ଶେଷ ଭାଗରେ ଆରମ୍ଭ ହେବ ବୋଲି ଟିଏମ୍ୟୁ କହିଛି। ରବିବାର ରାତିରେ ଏହି ଖବରକୁ ଦିଲ୍ଜିତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଥିଲେ। ବିଲବୋର୍ଡ କାନାଡାର ରିପୋର୍ଟ ଅନୁଯାୟୀ, ଏହି ପାଠ୍ୟକ୍ରମ ଟିଏମ୍ୟୁର କ୍ରିଏଟିଭ୍ ସ୍କୁଲରେ ଉପଲବ୍ଧ ହେବ। ଏହାସହ କାନାଡାରେ କୌଣସି ପଞ୍ଜାବୀ କଳାକାରଙ୍କ ଉପରେ କେନ୍ଦ୍ରିତ ଏହା ପ୍ରଥମ ପାଠ୍ୟକ୍ରମ ହେବ। ଏହି ପାଠ୍ୟକ୍ରମରେ ସଙ୍ଗୀତ କ୍ଷେତ୍ରରେ ଦିଲଜିତଙ୍କ କାର୍ଯ୍ୟ ସହ ସାଂସ୍କୃତିକ, ପ୍ରବାସୀ ପ୍ରାସଙ୍ଗିକତା ତଥା ବୈଶ୍ୱିକ ସ୍ତରରେ ତାଙ୍କର ବଢ଼ୁଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରାଯିବ। ଅନ୍ୟପକ୍ଷେ ରବିବାର ଦିଲଜିତ ନିଜର ପଞ୍ଜାବୀ ଫିଲ୍ମ ‘ସରଦାର ଜୀ ୩’ର ଟ୍ରେଲରକୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆସନ୍ତା ୨୭ରୁ ଏହି ଫିଲ୍ମ ବିଦେଶରେ ରିଲିଜ୍ ହେବ ବୋଲି ଦିଲ୍ଜିତ କ୍ୟାପ୍ଶନ୍ରେ ଲେଖିଛନ୍ତି। ପହଲ୍ଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାରଙ୍କ ଉପରେ କଟକଣା ଲାଗିଛି। ‘ସରଦାର ଜୀ ୩’ ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ହନିଆ ଆମିର ଅଭିନୟ କରିଥିବାରୁ ଏହାକୁ ଭାରତରେ ରିଲିଜ୍ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଟ୍ରେଲରରେ ହାନିଆଙ୍କ ସହ ଦିଲ୍ଜିତ ରୋମାନ୍ସ କରୁଥିବାର ନଜରକୁ ଆସିଥିବାରୁ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଦିଲ୍ଜିତଙ୍କୁ ଟ୍ରୋଲ୍ କରିଛନ୍ତି। ସେହିପରି ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀଙ୍କୁ କାଷ୍ଟ କରିଥିବାରୁ ଆଗାମୀ ଦିନରେ ଦିଲ୍ଜିତ ଏବଂ ‘ସରଦାର ଜୀ ୩’ ଫିଲ୍ମ ନିର୍ମାତାଙ୍କ କୌଣସି ମଧ୍ୟ ଫିଲ୍ମ କିମ୍ବା ପ୍ରୋଜେକ୍ଟକୁ ଭାରତରେ ରିଲିଜ୍ ନ କରିବାକୁ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୋମବାର ଫେଡେରେଶନ ଅଫ୍ ଓ୍ବେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (ଏଫ୍ଡବ୍ଲ୍ୟୁଆଇସିଇ)ର ଅଧ୍ୟକ୍ଷ ବି. ଏନ୍. ତିଓ୍ବାରୀ କହିଛନ୍ତି।


